ବିଶ୍ବ ପରିବେଶ ଦିବସ : ପ୍ରକୃତି, ପରିବେଶ ଓ ମଣିଷ

0

ମଣିଷ ଓ ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶ ଓ ପ୍ରକୃତି ନିତାନ୍ତ ଲୋଡ଼ା। କିନ୍ତୁ ପରିବେଶ ଉପରେ ମଣିଷ ଦାଉ ସାଧୁଛି। ଏହା ନିଜ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିବେଶକୁ ବ୍ୟବହାର କରିବାରେ ଲାଗିଛି। ଏପରିକି ମଣିଷର ଅବିଚାରିତ କାର୍ଯ୍ୟ ପାଇଁ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ତାହାସହିତ ପ୍ରାକୃତିକ ସମ୍ବଳର ଦ୍ରୁତ ଅବକ୍ଷୟ ଘଟି ସମୁଦାୟ ପରିବେଶ ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହାର ପରିଣତିରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି, ପରିବେଶରେ ଅଧୋପତନ, ସମୁଦ୍ର ଜଳରେ ଅମ୍ଳୀୟ ଅଂଶ ବୃଦ୍ଧି ସହିତ ସାମୁଦ୍ରିକ ପ୍ରାଣୀ ବିଲୋପ ପାଇବା ଏବଂ ମୋଟ ଉପରେ ଜୈବମଣ୍ଡଳର ଦ୍ରୁତ ଅବକ୍ଷୟ ଘଟିବାରେ ଲାଗିଛି। ମଣିଷର ବିବେକହୀନ କାର୍ଯ୍ୟ ପାଇଁ ପୃଥିବୀପୃଷ୍ଠରୁ ବହୁ ଜୀବଜନ୍ତୁ ଓ ଉଦ୍ଭିଦ ଇତିମଧ୍ୟରେ ସଂପୂର୍ଣ୍ଣ ଲୋପପାଇସାରିଲେଣି ଏବଂ ଆଉ ଅନେକ ବିଲୁପ୍ତପ୍ରାୟ ସ୍ଥିତିରେ। ପ୍ରାକୃତିକ ସମ୍ବଳର ମାତ୍ରାଧିକ ବ୍ୟବହାର, କଳକାରଖାନା, ଗାଡିମୋଟର, କୃଷିକ୍ଷେତ୍ରରେ ରାସାୟନିକ ଦ୍ରବ୍ୟର ପ୍ରୟୋଗ ଆଦି ଦ୍ୱାରା ବାୟୁମଣ୍ଡଳ ମାତ୍ରାଧିକ ପ୍ରଦୂଷିତ ହେବା ଏବଂ ଜଙ୍ଗଲକ୍ଷୟ ଭଳି ଘଟଣା ବ୍ୟାପକ ଭାବରେ ଘଟିଚାଲିଛି। ଏହି କାରଣରୁ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟୁଛି। ତାପମାତ୍ରା ବୃଦ୍ଧି ସହିତ ଅନିୟମିତ ବୃଷ୍ଟିପାତ, ଭୀଷଣ ବାତ୍ୟା, ବନ୍ୟା, ମରୁଡି ଏବଂ ମହାମାରୀ ବ୍ୟାପିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଘଟିବାରେ ଲାଗିଛି। ବର୍ଦ୍ଧିତ ଜନସଂଖ୍ୟା ନିଜର ସୁଖ ସୁବିଧା ପାଇଁ ପ୍ରକୃତିକୁ ଉପଯୋଗ କରିବାବେଳେ ଏସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ସଂପୂର୍ଣ୍ଣ ଆଖି ବୁଜିଦେଉଛି। ବିଶ୍ୱର ବହୁ ପରିବେଶବିତ୍‍ ଏବଂ ବୈଜ୍ଞାନିକ ଜନସଂଖ୍ୟା ବୃଦ୍ଧି ସମୁଦାୟ ଜୈବମଣ୍ଡଳ ପାଇଁ ଗୁରୁତର ବିପଦ ବୋଲି ମତ ଦେଇଛନ୍ତି। ବର୍ଦ୍ଧିତ ଜନସଂଖ୍ୟା କାରଣରୁ ପ୍ରାକୃତିକ ସମ୍ବଳର ମାତ୍ରାଧିକ ବ୍ୟବହାର ଏବଂ ସାମାଜିକ ବିସଂଗତି ଘଟୁଥିବା ମଧ୍ୟ ସେମାନେ ଦର୍ଶାଇଛନ୍ତି। ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପ୍ରଥମେ ପଦକ୍ଷେପ ନିଆଯିବାର ଆବଶ୍ୟକା ରହିଥିବା ସେମାନେ କହିଛନ୍ତି। ବିଶ୍ୱସ୍ତରରେ କରାଯାଇଥିବା ଏକ ଆକଳନରୁ ଜଣାଯାଇଛି ଯେ, ପ୍ରକୃତି ମଧ୍ୟ ଆପେ ଅନେକ ଜିନିଷ ନିଜେ ପୁନଃ ସୃଷ୍ଟି କରିଥାଏ। ତେବେ ଏହାର ପୁନଃ ସୃଷ୍ଟିକରିବା କ୍ଷମତା ଯେତିକି ରହିଛି, ମଣିଷ ଚାହିଦା ତାହାଠାରୁ ପ୍ରାୟ ୭୫% ଅଧିକ। ଯେଉଁଥିପାଇଁ ପ୍ରକୃତି ଏବେ ହାର ମାନିଛି। ପରିସ୍ଥିତି ଏଭଳି ହୋଇଛି ଯେ, ପ୍ରକୃତି କିଛି ଜିନିଷକୁ ଆପେ ପୁନଃ ସୃଷ୍ଟିକରିବା ପୂର୍ବରୁ ତାହା ସମୂଳେ ନଷ୍ଟ ହୋଇଯାଉଛି।
ମଣିଷ ଯୋଗୁଁ ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରୁ ୮୩% ଧ୍ୱଂସ ପାଇଯାଇଛନ୍ତି। ସେହିଭଳି ଅର୍ଦ୍ଧାଧିକ ଉଦ୍ଭିଦ ପ୍ରଜାତି ମଧ୍ୟ ମଣିଷ ଦ୍ୱାରା ନଷ୍ଟ ହୋଇଛି। କେବଳ ସେତିକି ନୁହେଁ, ମଣିଷ ନିଜର ଖାଦ୍ୟପାଇଁ ଏବେ ମତ୍ସ୍ୟସମ୍ପଦ ଉପରେ ଲୋଲୁପ ଦୃଷ୍ଟି ପକାଇଛି। ପୂର୍ବରୁ ନଦୀ, ନାଳ, ପୋଖରୀ ଆଦିରେ ଯେତିକି ମାଛ ମିଳୁଥିଲେ ତାହା ଲୋପ ପାଇଗଲେଣି। ସେଥିପାଇଁ ମଣିଷ ନିଜର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ମତ୍ସ୍ୟଚାଷ ଆରମ୍ଭ କରିଛି। ତାହାସହିତ ସମୁଦ୍ରରୁ ଅବିଚାରିତ ଭାବେ ମାଛ ଧରିଚାଲିଛି। ଏହି କାରଣରୁ ୨୦୪୮ ବେଳକୁ ସମୁଦ୍ରରୁ ଆଉ ମାଛ ମିଳିବେ ନାହିଁ ବୋଲି ଅନେକ ପ୍ରାଣୀ ଓ ସମୁଦ୍ର ବିଜ୍ଞାନୀ ଆଶଙ୍କା କରିଛନ୍ତି। ସେହିଭଳି କୃଷି ନିମନ୍ତେ ଜଳସେଚନ ପାଇଁ ଭୂଭାଗରେ ଯେଉଁ ପରିବର୍ତ୍ତନ କରାଯାଉଛି, ତାହାଦ୍ୱାରା ଜଳ ଓ ମୃତ୍ତିକାର ପରିମାଣ ଓ ମାନଗତ ଦିଗ ଉପରେ ବ୍ୟାପକ ପ୍ରଭାବ ପଡୁଛି। ବିଭିନ୍ନ ନଦୀ, ଝରଣାରେ ବଡବଡ ବନ୍ଧ ନିର୍ମାଣ ଯୋଗୁଁ ନିମ୍ନ ଅବବାହିକାରେ ଜଳାଭାବ ପରିସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବ ନିମ୍ନ ଅବବାହିକାରେ ଥିବା ଜୀବଜଗତ ଓ ଉଦ୍ଭିଦ ମଣ୍ଡଳ ଉପରେ ପଡୁଛି। ଅନୁରୂପ ଭାବେ ମୃତ୍ତିକାର ଜଳୀୟ ଅଂଶ ହ୍ରାସପାଇବା ଦ୍ୱାରା ତାହାର ମାନ ହ୍ରାସପାଉଛି ଏବଂ ଏହାର ବ୍ୟାପକ ସାମାଜିକ-ଅର୍ଥନୈତିକ ପ୍ରଭାବ ପରିଲକ୍ଷିତ ହେଉଛି। ଅନୁରୂପ ଭାବେ କୃଷିକ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର, କୀଟନାଶକର ପ୍ରୟୋଗ ମଧ୍ୟ ଜଳରାଶିକୁ ପ୍ରଦୂଷିତ ଓ ବିଷାକ୍ତ କରୁଛି। ଏହି କାରଣରୁ ଅନେକ ଜଳଜୀବ ଲୋପପାଇବା ସହିତ ନଦୀ, ଝରଣା, ଜଳାଶୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଜନସାଧାରଣ, ଜୀବଜନ୍ତୁଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡୁଛି। ଏହା ଅନେକ ସଂକ୍ରାମକ ରୋଗର କାରଣ ହେବା ସହିତ ଅନେକଙ୍କ ପାଇଁ ଅକାଳ ମୃତ୍ୟୁକୁ ଡାକି ଆଣୁଛି। ସେହିଜଳ ସମୁଦ୍ରରେ ମିଶିବା କାରଣରୁ ସାମୁଦ୍ରିକ ପ୍ରବାଳ ମଧ୍ୟ ଦ୍ରୁତ ଅବକ୍ଷୟ ହେବାରେ ଲାଗିଛି ଏବଂ ଏହା ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟିର ଅନ୍ୟତମ ମୁଖ୍ୟ କାରଣ ହୋଇଛି। ତାହାର ପ୍ରଭାବ ସାମୁଦ୍ରିକ ଜୀବଙ୍କ ଉପରେ ମଧ୍ୟ ପଡୁଛି। ଏକ ରିପୋର୍ଟ ଅନୁଯାୟୀ ଇତିମଧ୍ୟରେ ପ୍ରାୟ ୧୫% ସାମୁଦ୍ରିକ ପ୍ରବାଳ ନଷ୍ଟ ହୋଇସାରିଲାଣି।
୨୦୧୯ର ଏକ ରିପୋର୍ଟ ଅନୁଯାୟୀ ମଣିଷର ଅବିଚାରିତ କାର୍ଯ୍ୟ ଯୋଗୁଁ ପ୍ରାୟ ୨୮ହଜାର ପ୍ରଭାତିର ଉଦ୍ଭିତ ବିଲୁପ୍ତପ୍ରାୟ, ଯାହା ବିଶ୍ୱରେ ଦେଖାଯାଉଥିବା ମୋଟ ପ୍ରଜାତିର ପ୍ରାୟ ଅର୍ଦ୍ଧେକ। କୃଷିକ୍ଷେତ୍ର ସହିତ କଳକାରଖାନା ଏବଂ ସହରାଞ୍ଚଳରୁ ନିର୍ଗତ ବିଷାକ୍ତ ଓ ପ୍ରଦୂଷିତ ଜଳ ବିଭିନ୍ନ ଜଳଉତ୍ସକୁ ପ୍ରବେଶ କରିବା ପରେ ସେଗୁଡିକ ପ୍ରଦୂଷିତ କରିବାରେ ଲାଗିଛି l

Leave A Reply

Your email address will not be published.