କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ଗରିବ ଲୋକଙ୍କ ସଂଖ୍ୟା ବଢ଼ିବ। ୨୦୨୦ରେ ୬ କୋଟିରୁ ଅଧିକ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଏହି ସଙ୍କଟ ଏଡ଼ାଇବା ଲାଗି ଏବେଠାରୁ ପଦେକ୍ଷପ ଗ୍ରହଣ କରିବା ଲାଗି ଦେଶଗୁଡ଼ିକୁ ଏହା ଆହ୍ବାନ ଦେଇଛି। ବିଶ୍ବବ୍ୟାଙ୍କ ଗ୍ରୁପ୍ର ସଭାପତି ଡେଭିଡ୍ ମାଲ୍ପାସ୍ କହିଛନ୍ତି, କରୋନା ସଙ୍କଟ ଓ ଲକ୍ଡାଉନ୍ ସାରା ବିଶ୍ବର ଗରିବ ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି ଯାହା ଆଧୁନିକ ଯୁଗରେ କେବେ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଆକଳନ ଅନୁସାରେ ୬ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ। ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। କରୋନା ମହାମାରି ବିଶ୍ବ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବିଶେଷ କରି ଗରିବ ଦେଶଗୁଡ଼ିକୁ ବଡ଼ ଧରଣର ଝଟ୍କା ଲାଗିଛି। ସମସ୍ୟାର ସମାଧାନ କରିବା ଲାଗି ଦେଶଗୁଡ଼ିକ ନୂତନ ପୁଞ୍ଜିନିବୋଶ ହାତେଇବା, ଡିଜିଟାଲ୍ ସଂଯୋଗ ବଢ଼ାଇବା ଉପରେ ଗୁରୁତ୍ବ ଦେବା ଦରକାର। ଗରିବ ଲୋକମାନଙ୍କ ହାତରେ ଅର୍ଥ ପହଞ୍ଚାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। କରୋନା ସଙ୍କଟ ଟଳିବା ପରେ ଉତ୍ପାଦକ ଭିତ୍ତିଭୂମି ଗଠନ ପାଇଁ ପାଣ୍ଠି ହାସଲ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ବ୍ୟାଙ୍କରପ୍ସି ମାମଲାଗୁଡ଼ିକୁ ଶୀଘ୍ର ସମାଧାନ କରିବା, ବ୍ୟୟବହୁଳ ସବ୍ସିଡି କ୍ଷେତ୍ରରେ ସଂସ୍କାର ଆଣିବା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସ୍ବଳ୍ପ ମିଆଦୀ ଭିତ୍ତିରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ନିବେଶ କରିବାକୁ ପରାମର୍ଶ ଦିଆଯାଇଛି।