ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ନିକଟରେ ଦଳୀୟ ସାଥୀ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେଙ୍କୁ ପ୍ରଶଂସା କରିଥିଲେ। ଏବେ ସେ ତାଙ୍କ ଆଉ ଜଣେ ପୁରୁଣା ସାଥୀ ରାହୁଲ ଦ୍ରାବିଡ଼ଙ୍କୁ ପ୍ରଶଂସା କରିଛନ୍ତି। ୨୦୦୧ ଅଷ୍ଟ୍ରେଲିଆ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍ରେ ଦ୍ରାବିଡ଼ ଓ ତାଙ୍କ ମଧ୍ୟରେ ହୋଇଥିବା ୩୭୬ ରନ୍ର ଭାଗୀଦାରି କଥା ମନେପକାଇ କହିଛନ୍ତି ଯେ ମୋର ଏହି ପୁରୁଣା ଦଳୀୟ ସାଥୀ ଜଣେ ‘ଦଳପ୍ରତି ସଂପୂର୍ଣ୍ଣ ଉତ୍ସର୍ଗୀକୃତ ମଣିଷ’ ଏବଂ ‘ସବୁଠୁ ପ୍ରତିଶ୍ରୁତିବଦ୍ଧ ଛାତ୍ର’। ଦ୍ରାବିଡ଼ ସବୁ ଆହ୍ବାନକୁ ଗ୍ରହଣ କରନ୍ତି। କୌଣସି ଦାୟିତ୍ବକୁ ସେ ନା କୁହନ୍ତିନି। ଧଳା ବଲ୍ରେ ୱିକେଟ୍ରକ୍ଷକ ଦାୟିତ୍ବ ହେଉ କି ଟେଷ୍ଟ୍ରେ ଓପନିଂ। ଯେତେବେଳେ ଯାହା କରିବାକୁ କୁହାଯାଏ ତାହାକୁ ସେ ଭଲ ଭାବେ ପାଳନ କରିଥାନ୍ତି ବୋଲି ଲକ୍ଷ୍ମଣ ନିଜ ଟ୍ବିଟର୍ରେ ପ୍ରକାଶ କରିଛନ୍ତି।
ଦ୍ରାବିଡ଼-ଲକ୍ଷ୍ମଣ ଦେଶର ଶ୍ରେଷ୍ଠ ଯୋଡ଼ିଙ୍କ ମଧ୍ୟରେ ଦଶମ ସ୍ଥାନରେ ରହିଛନ୍ତି। ଉଭୟ ଏକାଠି ୮୬ ପାଳି ଖେଳିଥିଲା ବେଳେ ୫୧.୪୫ ହାରରେ ୪୦୬୫ ରନ୍ କରିଛନ୍ତି। ଏଥିରେ ୧୨ ଶତକ ଓ ୧୫ ଅର୍ଧଶତକ ରହିଛି। ଭାରତୀୟଙ୍କ ମଧ୍ୟରେ ଏହି ଯୋଡ଼ି ଦ୍ରାବିଡ଼-ସଚିନ, ଗୌତମ ଗମ୍ଭୀର-ବୀରେନ୍ଦ୍ର ସେହବାଗ ଓ ସଚିନ-ସୌରଭଙ୍କ ପରେ ଚତୁର୍ଥରେ ରହିଛନ୍ତି। ବିଶ୍ବର ଶ୍ରେଷ୍ଠ ଯୋଡ଼ି ଭାବେ ଶୀର୍ଷରେ ଥିବା ସଚିନ ଓ ଦ୍ରାବିଡ଼ ୧୪୩ ପାଳି ଖେଳି ୨୦ ଶତକୀୟ ଭାଗୀଦାରି ସହ ୫୦.୫୧ ହାରରେ ୬୯୨୦ ରନ୍ କରିଛନ୍ତି। ଗମ୍ଭୀର ଓ ସେହବାଗ ଯୋଡ଼ି ୮୭ ପାଳିରେ ୧୧ ଶତକ ଓ ୨୫ ଅଧର୍ଶତକ ସହ ୫୨.୫୨ ହାରରେ ୪୪୧୨ ରନ୍ ଏବଂ ଗାଙ୍ଗୁଲି ଓ ତେନ୍ଦୁଲକର ୭୧ ପାଳି ଖେଳି ୬୧.୩୬ ହାରରେ ୪୧୭୩ ରନ୍ କରିଛନ୍ତି।