‘ଜୁନ୍‌ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଦିଆଯିବ ଟିକା’

0

ଭୁବନେଶ୍ୱର: ସାମୂହିକ ଟିକାକରଣ ଓ କୋଭିଡ୍‌ ଗାଇଡଲାଇନ୍‌ ପାଳନ ମାଧ୍ୟମରେ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଚଳିତ ମାସ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ ।
ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଏହି ଏସଓପି ପଠାଇ ଦିଆଯାଇଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ଓ ମେଡିସିନ୍‌ ମହଜୁଦ୍‌ ରଖାଯାଇଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଉଛି । ଶିଶୁଙ୍କ ନିମନ୍ତେ ଏବେ ୨୯୩୦ଟି ବେଡ୍‌ ଓ ୬୧୦ଟି ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ମୋଟ ୯୫ଲକ୍ଷ ୧୬ ହଜାର ୬୬୯ଟି ଡୋଜ୍‌ ଟିକା ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୧୮ରୁ ୪୪ବର୍ଷ ବୟସର ୧୨ଲକ୍ଷ ୧୪ହଜାର ୫୩୩ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୧ଲକ୍ଷ ୪ହଜାର ୩୯୬ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଥିବାବେଳେ ୪୫ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫୭ଲକ୍ଷ ୪୧ହଜାର ୭୫୧ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୧୨ଲକ୍ଷ ୫୬ହଜାର ୮୩୧ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି । ଆସନ୍ତାକାଲି ରାଜ୍ୟର ୯୯୬ଟି ଟିକାକରଣ କେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯିବ । ରାଜ୍ୟରେ ଆଜିସୁଦ୍ଧା ଭାରତ ସରକାର ଦେଇଥିବା ୩ଲକ୍ଷ ୧୮ହଜାର ୯୭୦ ଡୋଜ୍‌ କୋଭିଶିଲଡ୍‌ ଓ ୫୪,୮୬୦ ଡୋଜ୍‌ କୋଭାକ୍ସିନ୍‌ ଥିବାବେଳେ ଓଡିଶା ସରକାର ନିଜେ କିଣିଥିବା ୪ଲକ୍ଷ ୨୩ହଜାର ୨୦୦ ଡୋଜ୍‌ କୋଭିଶିଲଡ୍‌ ଓ ୩ଲକ୍ଷ ୭୩ହଜାର ୨୧୦ ଡୋଜ୍‌ କୋଭାକ୍ସିନ୍‌ ରହିଛି । ରାଜ୍ୟର ୮୮.୩% ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.

one × 4 =