ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ

0

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଜଗତର ତ୍ରାଣକର୍ତ୍ତା । ପ୍ରତିଦିନ ପ୍ରତିକାତ୍ମକ ଭାବରେ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ ଆଜି ଏହି ପବିତ୍ର ଦିବସରେ କରିବେ ପ୍ରତ୍ୟକ୍ଷ ସ୍ନାନ, ତତ୍‌ ପରେ ସନ୍ଧ୍ୟା ସମୟରେ ହାତୀବେଶରେ ଅପୂର୍ବ ମନମୋହକର ବେଶରେ ସଜାଇ ହେବେ । ବିଳମ୍ୱିତ ରାତ୍ରିରେ ଶ୍ରୀଜୀଉମାନଙ୍କୁ ପହଣ୍ଡିବୀଜରେ ଅଣାଯାଇ ସ୍ନାନବେଦିରେ ଅଧିଷ୍ଠିତ କରାଯାଇସାରିଛି । ଅପେକ୍ଷା କେବଳ ଶ୍ରୀଜୀଉମାନଙ୍କର ପ୍ରତ୍ୟକ୍ଷ ସ୍ନାନକୁ । ଯାହା ଆଉ କିଛି ମୁହୂର୍ତ୍ତର ଶୁଭକ୍ଷଣ ମଧ୍ୟରେ ଆରମ୍ଭ ହେବ । ଏବର୍ଷ ଠାକୁରଙ୍କ ସମସ୍ତ ନୀତିକାନ୍ତି ସିନା ହେବ କିନ୍ତୁ ଏ ସବୁକୁ ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତ ନ ଥିବେ କି ସିଂହଦ୍ୱାରରେ ଶୁଣିବାକୁ ମିଳିବନି ଜୟ ଜଗନ୍ନାଥ ଧ୍ୱନି । ଦେଖିବାକୁ ମିଳିବନି ଭକ୍ତର ଭାବାତ୍ମକ ପ୍ରାର୍ଥନା । କାରଣ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି ମହାମାରୀ କରୋନା । ଏହି ମହାମାରୀ ପାଇଁ ଭକ୍ତଙ୍କୁ ଏଥର ବଡ଼ଦାଣ୍ଡ ମନା । ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ୧୪୪ ଧାରା ଭିତରେ ହେଉଛି ସ୍ନାନଯାତ୍ରା । ଗୁରୁବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଶେଷ ହେବା ପରେ ରାତି ଆଜି ଭୋର ୪ଟା ମଧ୍ୟରେ ପହଣ୍ଡିବୀଜେ ଶେଷ ହୋଇସାରିଛି । ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ଆସିସାରିଛନ୍ତି । ମହାପ୍ରଭୁଙ୍କର ସ୍ନାନବେଦୀରେ ପରବର୍ତ୍ତୀ ନୀତିମାନ ଅନୁଷ୍ଠିତ ହେଉଅଛି । ଆଉ କିଛି କ୍ଷଣ ମଧ୍ୟରେ ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ ଶ୍ରୀଜୀଉ । ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନା କୁଅରୁ ୧୦୮ ଗଡୁ ଜଳ ଆଣି ଜଳଗୃହରେ ରଖିବେ । ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ସୁବାସିତ ତଥା ଠାକୁରମାନଙ୍କ ସ୍ନାନ ଉପଯୋଗୀ କରାଯିବ। ଅଧିବାସ ଗୃହରୁ ୧୦୮ ଗଡୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦିରେ ରଖାଯିବ । ଜଳ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡୁ, ସୁଭଦ୍ରା ୨୨ ଗଡୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ସୁଦର୍ଶନ ୧୮ ଗଡୁ ଜଳରେ ସ୍ନାନ କରିବେ । ଗଜପତି ମହାରାଜା ଛେରାପହଁରା ନୀତି ସମ୍ପନ୍ନ କରିବା ପରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଅନୁଷ୍ଠିତ ହେବ । ଏହି ବେଶ ଥାଇ ଘଣ୍ଟଛତା ସକାଳ ଧୂପ ଭୋଗ ସମ୍ପନ୍ନ ହେବ । ଏଥର ଭକ୍ତଙ୍କୁ ବାରଣ କରାଯାଇଥିବାରୁ ସାହାଣ ମେଲା ଦର୍ଶନ ବନ୍ଦ ରହିଛି । ଅପରାହ୍ନ ୪ଟାରେ ହାତୀବେଶ ମଇଲମ ହେବ। ପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ଶେଷ ହୋଇ ମହାପ୍ରଭୁ ସ୍ନାନବେଦିରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ । ଅପରାହ୍ନ ୫ଟାରୁ ରାତି ୮ଟା ମଧ୍ୟରେ ବାହୁଣ୍ଡା ପହଣ୍ଡି ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଛି । ଏହାପରେ ସୁନା ଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ । ଆରମ୍ଭ ହେବ ଅଣସର ନୀତି । ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣିମା ଦିନଠାରୁ ହିଁ ଠାକୁରଙ୍କ ଅଣସର ବିଧି ଆରମ୍ଭ କରାଯିବ । ଜ୍ୱରରେ ପଡ଼ିବେ ବିଶ୍ୱନିୟନ୍ତା । ୧୫ଦିନ ଧରି ଚାଲିବ ଉପଚାର । ଏହାପରେ ସୁସ୍ଥ ମହାପ୍ରଭୁ ଲାଭ କରି ଆସନ୍ତା ୨୦ ତାରିଖରେ ନବଯୌବନ ଦର୍ଶନ ପ୍ରଦାନ କରିବାକୁ ଥିବାବେଳେ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତେବେ ଏବର୍ଷ ବିନା ଭକ୍ତରେ ସ୍ନାନଯାତ୍ରା କରାଯାଉଥିବାବେଳେ ରଥଯାତ୍ରା ଆୟୋଜନକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସ୍ନାନଯାତ୍ରା ସୁପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଘରେ ରହି ସ୍ନାନଯାତ୍ରା ଦେଖିବା ଲାଗି ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ଗୁରୁବାର ରାତି ୧୦ଟାରୁ ୬ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

Leave A Reply

Your email address will not be published.