ବିରାଟ ବାହିନୀ ଧୂଳିସାଥ: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ

0

ବହୁ ପ୍ରତୀକ୍ଷା ପରେ ଭାରତ ପ୍ରଥମ ଟେଷ୍ଟ ଟାଇଟଲ ଜିତିବାର ସ୍ୱପ୍ନ ଧୂଳିସାତ ହୋଇଛି । ଇତିହାସ ରଚିଲା ନ୍ୟୁଜିଲାଣ୍ଡ ଦଳ । କ୍ରିକେଟ ଜଗତକୁ ମିଳିଲା ନୂତନ ଟେଷ୍ଟ ବାଦଶାହା । ନ୍ୟୁଜିଲାଣ୍ଡ ବିରାଟ ବାହିନୀଙ୍କୁ ୮ ୱିକେଟରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଚାମ୍ପିଆନ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଏବଂ ୪ର୍ଥ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ଫଳରେ ମ୍ୟାଚ ୬ଷ୍ଠ ଦିନ ହୋଇଥିଲା । ୬ଷ୍ଠ ଦିନ ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨ ୱିକେଟ ବିନିମୟରେ ୧୪୦ ରନ କରି ହାସଲ କରିନେଇଥିଲା । ଅଧିନାୟକ କେନ ୱିଲିୟମସନ ୫୨ ଓ ରସ୍‌ ଟେଲର୍‌ ୪୩ ରନ କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ଚାମ୍ପିଅନ ହେବାପରେ ଟିମକୁ ପ୍ରାୟ ୧୨ କୋଟି ଟଙ୍କାର ପୁରସ୍କାର ରାଶି ସହିତ ଆଇସିସିଚାମ୍ପିଅନସିପ ଗଦାପ୍ରଦାନ କରାଯାଇଥିଲା । ସେହିପରି ଭାରତକୁ ରନର୍ସଅପ ୬ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା । ୬ଷ୍ଠ ଦିନ ଭାରତ ୬୪/୨ରୁ ଅସମାପ୍ତ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଭାରତ ବିପଦରେ ପଡ଼ିଥିବା ବେଳେ ବ୍ୟାଟିଂ ପାଇଁ ଆସିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେ଼ଜା କ୍ରିଜରେ ପନ୍ତଙ୍କ ସହ ଜମିଆସିବା ସହ ଦଳୀୟ ସ୍କୋର ଆଗକୁ ବଢାଇଥିଲେ । ଆଶା କରାଯାଉଥିବା ଉଭୟ ନ୍ୟୁଜିଲାଣ୍ଡ ନିକଟରେ ଏକ ବଡ ଟାର୍ଗେଟ ଛିଡ଼ା କରିବେ । ଭାରତୀୟ ଦଳ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ ମାନେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମ୍ନା କରିନପାରିବା ଫଳରେ ଭାରତର ଦ୍ୱିତୀୟ ଇନିଂସ ୧୭୦ ରନରେ ସମାପ୍ତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପନ୍ତ ସର୍ବାଧିକ ୪୧ ରନ କରିଥିବା ବେଳେ ଶମୀ ୧୩, ଅଶ୍ୱିନ ୭ ଏବଂ ବୁମରା ଶୂନରେ ଆଉଟ ହୋଇଥିଲେ । ଈଶାନ୍ତ ଶର୍ମା ୧ ରନରେ ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦି ସର୍ବାଧିକ ୪ଟି, ବୋଲ୍ଟ ୩ଟି, ଜେମିସନ୍‌ ୨ଟି ଏବଂ ୱାଗନର ଗୋଟିଏ ୱିକେଟ ନେଇଥିଲେ । ୫୩ ଓଭରରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ନିକଟରେ ୧୩୯ ରନର ଟାର୍ଗେଟ ରହିଥିଲା । ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭ କରିଥିବା ଟମ୍‌ ଲାଥମ ଓ ଡେଭନ କନୱେ ମାପିଚୁପି ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ ପାଇଁ ୩୩ ରନ୍‌ ଯୋଗ କରିବା ପରେ ଅଶ୍ୱିନ ୱିକେଟ ପଛରେ ପନ୍ତଙ୍କ ଦ୍ୱାରା ଲାଥମଙ୍କୁ ଷ୍ଟମ୍ପ ଆଉଟ କରାଇ ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା ଦେଇଥିଲେ । ଦଳୀୟ ସ୍କୋରରେ ଆଉ ୧୧ ରନ ଯୋଗହେବା ପରେ କନୱେଙ୍କୁ ଅଶ୍ୱିନ ନିଜର ଦ୍ୱିତୀୟ ଶିକାର ବନାଇଥିଲେ । ସେ କନୱେ (୧୯)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଭାରତୀୟ ଦଳରେ କିଛିଟା ଆଶା ସଞ୍ଚାର କରିଥିଲେ । ତେବେ ଅଧିନାୟକ କେନ ୱିଲିୟମସନ ଓ ଭେଟେରାନ ରସ ଟେଲର ଭାରତୀୟ ବୋଲରଙ୍କୁ ଉପଯୁକ୍ତ ମୁକାବିଲା କରି ଇନିଂସ୍‌ ଆଗକୁ ବଢ଼ାଇଥିଲେ । ୱିଲିୟମସନ ୮୯ ବଲ ଖେଳି ୮ ଚୌକା ସହ ୫୨ ରନ ଏବଂ ଟେଲର ୧୦୦ ବଲରେ ୬ ଚୌକା ସହ ୪୭ ରନ କରି ଅପରାଜିତ ଥିଲେ । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ କ୍ରିକେଟ୍‌ ଜଗତକୁ ମିଳିଲା ଟେଷ୍ଟ ବାଦଶାହା ।

Leave A Reply

Your email address will not be published.

nineteen − 14 =