କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

0

ସ୍ଥାନୀୟ ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର (ଆରଡିସି) ଅନିଲ କୁମାର ସାମଲ ନିଆଁ ଲାଗିବାର କାରଣ ସଂପର୍କରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ କେଉଁ ଭଳି ପରିସ୍ଥିତିରେ ନିଆଁ ଲାଗିଲା, ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରାଥମିକତା ଭିତ୍ତିରେ ଗୁରୁତର ରୋଗୀଙ୍କୁ ଅଶ୍ୱିନୀ, ସମ ହସ୍ପିଟାଲ, ଏସସିବି ଓ ଭେଣ୍ଟିଲେଟର ବ୍ୟବସ୍ଥା ଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲର ଆଇସିୟୁରୁ ପ୍ରଥମେ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ। ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି ଏବଂ ସିଏମସି କମିସନର ପ୍ରମୁଖ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ଯେଉଁ ଆକ୍ରାନ୍ତମାନଙ୍କ ଅବସ୍ଥା ସ୍ଥିର ଅଛି ସେମାନଙ୍କୁ ଟାଙ୍ଗୀସ୍ଥିତ ଡ୍ରିମ୍ସ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କୋଭିଡ ହସ୍ପିଟାଲରୁ ଉଦ୍ଧାର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅତିରିକ୍ତ ଡିଜିପି ସତ୍ୟଜିତ ମହାନ୍ତି କହିଛନ୍ତି, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କୌଣସି ଅଭାବନୀୟ ଘଟଣା ଘଟିନାହିଁ। ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିଛି । ଦମକଳ ବାହିନୀର ମୁଖ୍ୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏଠାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ କେମିତି ଲାଗିଲା ତା’ର ତଦନ୍ତ ହେବ । ଯଦି ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି, ତାହା କେମିତି ହେଲା ଯାଞ୍ଚ ହେବ ବୋଲି ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କୌଣସି କାରଣରୁ ଆଜି ଅଚାନକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ମିଳିବା ପରେ ୨ଟି ଦମକଳଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ଆଇସିୟୁରେ ନିଆଁ ଲାଗିଥିବାରୁ ହେତୁ ପରିସ୍ଥିତି ସଙ୍ଗୀନ ଥିଲା । ପ୍ରାୟ ୧୨ଟି ଆମ୍ବୁଲାନ୍ସରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଜିଲ୍ଲାପାଳ, ଡିସିପି, ସିଏମସି କମିସନର ଅନନ୍ୟା ଦାସ ଘଟଣାସ୍ଥଳକୁ ପହଂଚିଥିଲେ ।

Leave A Reply

Your email address will not be published.