ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

0

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍‌ଗ୍ରହଣ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି । ଏହି ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ତଥା ବିଜେପି ଜାତୀୟ ମୁଖପାତଅପରାଜିତା ଷଡ଼ଙ୍ଗୀ, ବିଜେପି ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବରିଷ୍ଠ ନେତା ମନମୋହନ ସାମଲ, କେଭି ସିଂଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ବିଜେପି ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗୋଲକ ମହାପାତ୍ର ଦଳ ପକ୍ଷରୁ ଜାରି ହୋଇଥିବା ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ଖାରବେଳ ସ୍ୱାଇଁ ପ୍ରମୁଖଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ପ୍ରକାଶ ଥାଉ କି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଏବଂ କୋଭିଡ୍ କାରଣରୁ ପୂର୍ବରୁ ଦୁଇଥର ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା । ଏଥର ମଧ୍ୟ କରୋନାର ପ୍ରକୋପ କମି ନଥିବାରୁ ନିର୍ବାଚନୀ ପ୍ରକ୍ରିୟା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟରେ ହେବ । ଏହି ଆଧାରରେ ଷ୍ଟାର ପ୍ରଚାରକ ତାଲିକା ୨୦ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା । ସେପ୍ଟେମ୍ବର ୨୦ ତାରିଖରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହେବାକୁ ଥିବାବେଳେ ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ଏହା ଶେଷହେବ । ଏଥର ପିପିଲି ମୈଦାନରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ ଜଣ ନିର୍ବାଚନ ଲଢ଼ୁଛନ୍ତି ।

Leave A Reply

Your email address will not be published.

13 + 15 =