ମୁମ୍ବାଇ ଫେରନ୍ତା ଯୁବତୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସବ୍ୟସାଚୀ

0

ସଟଡାଉନର ପ୍ରଥମ ଦିନରେ କିଭଳି ସଙ୍କଟ ବଢିଛି ତାର ଏକ ଚିତ୍ର ଆଜି ଦେଖିବାକୁ ମିଳିଛି । ରାଜଧାନୀ ରାସ୍ତାରେ ବସି ରହିଥିବା ଜଣେ ଯୁବତୀ ସୁନ୍ଦରଗଡ଼ ଯିବାକୁ ଚାହୁଁଥିଲେ । ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଭୋର ପ୍ରାୟ ସାଢେ ୪ଟାରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚବା ପରେ ଘରକୁ ଯିବା ପାଇଁ ଆଉ ଗାଡ଼ି ପାଇନଥିଲେ । ଦୁଇ ଦିନିଆ ସଟଡାଉନ ଘୋଷଣା ନେଇ ତାଙ୍କ ପାଖରେ ଖବର ନ ଥିଲା । ଚାଲିଚାଲି ବରମୁଣ୍ଡା ବସଷ୍ଟାଣ୍ଡ ଯିବା ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା । ସେପଟେ, ରସୁଲଗଡ଼ ବସଷ୍ଟାଣ୍ଡରେ ପୁଲିସ ଯୁବତୀଙ୍କୁ ବସାଇଥିବାବେଳେ କନକ ନ୍ୟୁଜର ପ୍ରତିନିଧିଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଉ ପାଖକୁ ଯାଇ ପଚାରିବାରୁ ଜଣାପଡ଼ିଲା ଟ୍ରେନରେ ଆସିଲା ବେଳେ ତାଙ୍କ ମୋବାଇଲ ଫୋନ୍ ଓ ପର୍ସ କେହି ଚୋରି କରିନେଇଛି । ପରିବାର ସହ ଯୋଗାଯୋଗ କରିପାରି ନାହାନ୍ତି । ତାଙ୍କର ବାପା ନ ଥିବା ବେଳେ ଘରେ କେବଳ ମାଆ ଅଛନ୍ତି । ତେଣୁ ଏହି ବିପଦ ସମୟରେ ତାଙ୍କୁ କିଏ ସହାୟତା କରିବ । ନିରୁପାୟ ହୋଇ କେବଳ ରାଜଧାନୀ ରାସ୍ତାରେ ବସି ରହିଥିଲେ । ବଡ଼ କଥା ହେଉଛି, କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ସହାୟତା କରିବା ପାଇଁ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ରସୁଲଗଡ଼ରେ ପହଞ୍ଚିଥିଲେ । କରୋନା କାଳରେ ଫସିରହିଥିବା ପ୍ରବାସୀଙ୍କୁ ବାରମ୍ବାର ସହାୟତା କରି ଆସୁଥିବା ସବ୍ୟସାଚୀ ଏହି ଯୁବତୀଙ୍କୁ ତୁରନ୍ତ ସହାୟତା ପାଇଁ ଧାଇଁ ଆସିଥିଲେ । ତାଙ୍କୁ ଖାଇବା, ପିଇବାକୁ ଦେବା ସହିତ ସୁନ୍ଦରଗଡ଼ ଯିବା ପାଇଁ ବନ୍ଦୋବସ୍ତ କରିଥିଲେ । ଏହାପରେ ସବ୍ୟସାଚୀ କୋଭିଡ କଣ୍ଟ୍ରୋଲ ରୁମରେ ବରିଷ୍ଠ ଆଇଏଏସ ଅମିତାଭ ଠାକୁରଙ୍କ ସହ କଥା ହୋଇ ସୁନ୍ଦରଗଡ଼ ଯିବାକୁ ଥିବା ବସରେ ଯୁବତୀଙ୍କୁ ପଠାଇ ଦେବାପାଇଁ ବରମୁଣ୍ଡା ନେଇଥିଲେ । ସେ ଏବେ ଝାଡ଼ଖଣ୍ଡରୁ ଆସୁଥିବା ଏକ ଟିମକୁ ନିଜ ନିଜ ଅଞ୍ଚଳରେ ପହଞ୍ଚାଇବା କାମରେ ଲାଗଛନ୍ତି ବୋଲି ଅଭିନେତା ସବ୍ୟସାଚୀ ମିଶ୍ର ସମ୍ବାଦ ଡଟ୍ ଇନକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

1 × 4 =