ଆଜି ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମୋତ୍ସବ

0

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ର ଜନ୍ମ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଗହ୍ମା ପୂର୍ଣ୍ଣମୀରେ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ । ତାପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପତନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ ।ମହାପ୍ରଭୁ ଆଜି ସର୍ବବୃହତ ରାକ୍ଷୀ ପରିଧାନ କରିଥାନ୍ତି। ପାଟର ବିଶୋଇଙ୍କ ଦ୍ୱାରା ଚାରିଖଣ୍ଡ ବାସୁଙ୍ଗା ପାଟ ରାକ୍ଷୀ ଓ ଗୁଆ ମାଳ ଲାଗି କରାଯାଏ । ସେପଟେ ଆଜ୍ଞାମାଳ ପାଇ ଶ୍ରୀଦେବୀ , ଭୂଦେବୀ , ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ ହେବା ପରେ ପାଳିଆ ଖୁଣ୍ଟିଆ ଲଣ୍ଡାବର୍ତ୍ତଠାରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତିମାନଙ୍କୁ ଡାକିଥାନ୍ତି ।ଦଇତାମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚଉଦୋଳରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ , ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ । ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ୱର୍ଣ୍ଣ ଅଳଙ୍କାର ଯଥା କମରପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ । ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋରେ ନେଇ ମାର୍କଣ୍ଡକୁ ଯାଇଥାନ୍ତି । ସେଠାରେ ଥିବା ଗହ୍ମାବେଦୀ ଉପରେ ବିଜେ କରିଥାନ୍ତି ।

Leave A Reply

Your email address will not be published.