ରଜପର୍ବରେ ରଜ ଦୋଳି ର ମହତ୍ୱ

0

ଆଜି ହେଉଛି ଓଡ଼ିଆ ମାନଙ୍କର ପର୍ବ ରଜ ର ପ୍ରଥମ ଦିନ ଅର୍ଥାତ ପହିଲି ରଜ । ପୋଡପିଠା, ପାଚିଲା ଆମ୍ବ-ପଣସ ଆଦି ଫଳର ସମ୍ଭାର ଓ ସ୍ୱତନ୍ତ୍ର ରଜପାନର ମହକଭରା ପସରା ଭିତରେ ରଜପର୍ବ ପାଳିତ ହୁଏ। ଏହି ପର୍ବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୋଳି। ରଜ ମୁଖ୍ୟତଃ ପିଠା, ପାନ ଓ ଦୋଳିର ପର୍ବ। ବଡି ଭୋର୍‌ରୁ ଗାଧୋଇ ଚନ୍ଦନଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ ଯାଏ କୁଆଁରୀ ଝିଅମାନେ ବାହାରିଯା’ନ୍ତି ଦୋଳି ଖେଳିବାକୁ। ଘର ଛାତର ହୁକ, ବାରଣ୍ଡା, ଆମ୍ବଗଛଠାରୁ ନଡିଆଗଛ, ବରଗଛ ସବୁଠି ଦୋଳିର ଭିଡ। ପଟା ଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରିଆସିଛି। ଦୋଳି ଚାରିପଟେ ଦୋଳି ଖେଳାଳି ଆଉ ଦେଖଣାହାରୀଙ୍କର ଭିଡ ଜମିଥାଏ। ଗୋଟିଏ ଗୋଟିଏ ଜାଗାରେ ଏକାଧିକ ଦୋଳି ଲାଗି କିଏ କେତେ ଉପରକୁ ଯାଇପାରୁଛି ସେ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ। ଦୋଳି ଖେଳୁଥିବା ଝିଅମାନଙ୍କର ଆକାଶ ଛୁଆଁ ଗତି ଦେଖିଲେ ଆଖି ଖୋସି ହୋଇପଡେ। ଦୋଳି ଖେଳିବା ସମୟରେ ହାଲ୍‌କା ବର୍ଷା ହୋଇ ପରିବେଶକୁ ଆହୁରି ମନୋରମ କରିଦିଏ। ସବୁଜ ବଳୟ ଭିତରୁ ଭାସିଆସେ ଦୋଳି ଗୀତର ସ୍ୱର- ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ…। ରଜ ଦୋଳି କଟକଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ…। ଦୋଳି ଖେଳ ଏବଂ ବାଦୀ ଦୋଳିଗୀତ ରଜପର୍ବର ମୁଖ୍ୟ ଆକର୍ଷଣ। ବିଭିନ୍ନ ଦଳ ମଧ୍ୟରେ ପଦକୁ ପଦ ସଜାଡି ଦୋଳିଗୀତର ଆସର ଜମାଇବା ଏକ ପ୍ରତିଯୋଗିତାଠାରୁ କମ୍‌ ହୋଇନଥାଏ। ଏହାକୁ ଡାଳଭଙ୍ଗା ଗୀତ ବୋଲି ବି କହନ୍ତି। ଦୋଳି ଖାଲି ଆମୋଦପ୍ରମୋଦ ପାଇଁ ଉଦ୍ଦିଷ୍ଟ ନୁହେଁ। ମଣିଷ ଜୀବନ ପାଇଁ ଏହାର ଉପକାରିତା ଯଥେଷ୍ଟ ଅଧିକ। ବିଜ୍ଞାନ ମଧ୍ୟ ଦୋଳିର ଉପକାରିତାକୁ ସ୍ୱୀକୃତି ଦେଇଛି। ବର୍ଷା ଋତୁରେ ସବୁଜ ଗଛଡାଳରେ ଦୋଳି ଝୁଲିବା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଦୋଳିରେ ଝୁଲିବା ଶରୀର ପାଇଁ ଏକ ଭଲ ବ୍ୟାୟାମ ହେବା ସହିତ ଫୁସ୍‌ଫୁସ୍‌, ହୃଦ୍‌ଯନ୍ତ୍ର ଏବଂ ଅନ୍ୟ ଅଙ୍ଗଗୁଡିକୁ ସୁସ୍ଥ ରଖେ। ପାଦରେ ଚାପ ଦେଇ (ପେଙ୍ଗା ମାରିବା ବୋଲି କହନ୍ତି) ଦୋଳି ଝୁଲାଇବା ଦ୍ୱାରା ଗୋଡର ମାଂସପେଶୀର ବ୍ୟାୟାମ ହୋଇଥାଏ ଏବଂ ଏହା ସୁଦୃଢ ରହେ। ଦୋଳିଗୁଡିକ ସାଧାରଣତଃ ନିମ୍ବ, ଆମ୍ବ, ବର ଆଦି ଗଛରେ ଲଗାଯାଇଥିବାରୁ ଦୋଳି ଖେଳିବା ସମୟରେ ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେ। ଫଳରେ ଶରୀରର ନିଷ୍କ୍ରିୟ କୋଷଗୁଡିକ ସକ୍ରିୟ ହୋଇଉଠନ୍ତି। ରଜପର୍ବ ବେଳେ ଆକାଶରୁ ବିନ୍ଦୁବିନ୍ଦୁ ବର୍ଷା ପଡୁଥିବାରୁ ବାୟୁମଣ୍ଡଳର ଧୂଳି ଓ ଅନ୍ୟ କ୍ଷତିକାରକ ତତ୍ତ୍ୱ ପରିଷ୍କାର ହୋଇଯାଇଥାନ୍ତି। ବୟସ୍କମାନେ ମଧ୍ୟ ଏସବୁ ଗଛମୂଳରେ ଛୋଟ ପିଲାଙ୍କୁ ଦୋଳି ଖେଳାଇବା ଦ୍ୱାରା ମାନସିକ ଶାନ୍ତି ପାଇଥାନ୍ତି। ଖରାଧାସରୁ ମୁକୁଳିଥିବା ପୃଥିବୀ ବର୍ଷାଟୋପା ସହିତ ସବୁଜ ପରିଧାନରେ ସୁସଜ୍ଜିତ ହୋଇଯାଇଥାଏ। ଚାରିଆଡେ ସତେଜତାର ବାସ୍ନା ଖେଳିଯାଏ, ଯାହା ମଣିଷର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

Leave A Reply

Your email address will not be published.

2 × 4 =