କଟକଣାରେ ହେବ ପୁରୀ ରଥଯାତ୍ରା; ସେବାୟତ ଟାଣିବେ ରଥ

ସାମିଲ ହେବେନି ଶ୍ରଦ୍ଧାଳୁ

0

ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା । ତେବେ ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । ପୁରୀ ଛଡା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ । ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏସ୍‌ଆରସି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ । କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ । ସେମାନଙ୍କ ପାଇଁ ବି ନିୟମ ରହିବ । ଯେଉଁ ସେବାୟତମାନେ ଦୁଇ ଡୋଜ୍‌ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ । ସେ ଆହୁରି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ । ପୁରୀକୁ ବସ୍‌ ଓ ଗାଡିମୋଟର ଚଳାଚଳ ଉପରେ କଟକଣା ଲାଗିବ । ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ । ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ ବୋଲି ଏସ୍‌ଆର୍‌ସି କହିଛନ୍ତି ।

Leave A Reply

Your email address will not be published.

one × four =