ଶ୍ରୀମନ୍ଦିରର ନୂଆ ଦ୍ୱାର ନିର୍ମାଣ କାର୍ଯ୍ୟ ଆରମ୍ଭ

0

ପୁରୀ : ଶ୍ରୀମନ୍ଦିରର ଆଠଟି ଦ୍ୱାରରେ ରୁପା ଚାଦର ଲାଗିବ । ଏଥିପୂର୍ବରୁ ଆଠଟି ଯାକ ଦ୍ୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୁମ୍ବାଇରୁ ଆସିଥିବା ୬ଜଣିଆ କାରିଗର ଦଳ ସ୍ୱତନ୍ତ୍ର ବର୍ମା ଟିକ୍‌ ଶାଗୁଆନରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରାୟ ୧୩୦ଟି ବର୍ମା ଟିକ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଆଜି ଏ ଉପରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୌଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ସମସ୍ତ ଦ୍ୱାରର ଡିଜାଇନକୁ ବୌଠକରେ ମଞ୍ଜୁରି ମିଳିଛି । ଉପସ୍ଥିତ ସେବାୟତ ଡିଜାଇନ୍‌ରେ ଏକମତ ହୋଇଛନ୍ତି । ନିର୍ମାଣ କାର୍ଯ୍ୟ ଶେଷ ପରେ ପ୍ରତ୍ନତତ୍ତ୍ୱ ବିଭାଗର ଅନୁମତିକ୍ରମେ ସବୁ ନୂଆ ଦ୍ୱାର ଲାଗିବା ସହ ଏହା ଉପରେ ୨ ଟନ୍‌ର ରୁପା ଚାଦର ଡିଜାଇନ୍‌ ହୋଇ ଲାଗିବ । କାମ ଶେଷ ପର୍ଯ୍ୟନ୍ତ ସବୁର ଟିକିନିଖି ଅନୁଧ୍ୟାନ ପାଇଁ ଦୁଇଟି କମିଟି ବି ଗଠନ କରାଯାଇଛି । ଆଜି ଏ ଉପରେ ଏକ ସମୀକ୍ଷା ବୌଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବରିଷ୍ଠ ସେବାୟତ, ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରର ୮ଟି ଯାକ ଦ୍ୱାର କେବେ ନିର୍ମାଣ ଶେଷ ହେବ, କେବେ ରୁପା ଚାଦର ଲାଗିବ, ସବୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବୌଠକରେ ପରେ ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି ଯେ ସବୁ କାମର ଅନୁଧ୍ୟାନ ପାଇଁ ଦୁଇଟି କମିଟି ଗଠନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଟେକ୍ନିକାଲ୍‌ ଓ ଅନ୍ୟଟି ନନଟେକ୍ନିକାଲ୍‌ କମିଟି । ଟେକ୍ନିକାଲ୍‌ କମିଟିରେ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଅଧିକାରୀଙ୍କ ସମେତ ନିର୍ମାଣ ବିଭାଗର ଯନ୍ତ୍ରୀ ଓ ଅନ୍ୟ କିଛି ଜଣାଶୁଣା ଯନ୍ତ୍ରୀ ରହିବେ । ୪ରୁ ୫ଜଣ ଯନ୍ତ୍ରୀଙ୍କୁ ନେଇ ଏହି କମିଟି ଗଠନ କରାଯିବ । ଏହି କମିଟି ପୂରା କାମର ଅନୁଧ୍ୟାନ କରି କେଉଁ ତ୍ରୁଟି ରହିଛି, ସେ ସଂପର୍କରେ ଅବଗତ କରିବ । ସେହି ଅନୁସାରେ କାମ ଆଗେଇବ । ନନଟେକ୍ନିକାଲ୍‌ କମିଟିରେ ବରିଷ୍ଠ ସେବାୟତମାନେ ରହିବେ । ୭ରୁ ୮ଜଣ ସେବାୟତଙ୍କୁ ନେଇ ଏହି କମିଟି ଗଠନ କରାଯିବ । ଏହି କମିଟି ବି କାମର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ । କେଉଁଠି କିଛି ପରିବର୍ତ୍ତନ ଆବଶ୍ୟକ ଥିଲେ, ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବ । କଳାହାଟ ଦ୍ୱାରରେ ଆଗରୁ ରୁପା ଛାଉଣୀ ରହିଥିବାରୁ ଏହି ଦ୍ୱାରର ଡିଜାଇନ ସମ୍ପୂର୍ଣ୍ଣ ଭିନ୍ନ ରହିବ । କମ୍‌ ଡିଜାଇନ ରହିବ । ଦ୍ୱାରରେ ୬ଟି ପ୍ୟାନେଲ ହେବ । ଦୁଇଟି କବାଟ ବିଶିଷ୍ଟ ଏହି ଦ୍ୱାରର ଗୋଟିଏ ପାର୍ଶ୍ୱରେ ୩ଟି ଲେଖାଏଁ ପ୍ୟାନେଲ ରହିବ ବୋଲି ଡ. କୁମାର କହିଛନ୍ତି ।

Leave A Reply

Your email address will not be published.

2 × 5 =