ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନରେ ଅନିୟମିତତା

0

ଦକ୍ଷିଣ ଅରିମୂଲ ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଣରେ ଅନିୟମିତତା ଅଭିଯୋଗ । ପ୍ରଶାସନ ଦୃଷ୍ଟି ଦେବାକୁ ଦାବି । ଶିଶୁ ତଥା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାପାଇଁ ସରକାର ପ୍ରତିଟି ମୂହୁର୍ତ୍ତରେ ଦେଉଛନ୍ତି ଅଧିକରୁ ଅଧିକ ଗୁରୁତ୍ୱ । ଫଳସ୍ୱରୂପ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଣୟନ ହେବାରେ ଲାଗିଛି ବହୁ ଆକର୍ଷଣୀୟ ଯୋଜନା ।ଏହାକୁ କାର୍ଯ୍ୟକାରୀ କରିବା ନିମିତ୍ତ ପ୍ରତ୍ୟେକ ବ୍ଲକରେ ଗଠିତ ହୋଇଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପିତ କାର୍ଯ୍ୟଳୟ । ଏବଂ ଏହା ଅଧିନରେ କାର୍ଯ୍ୟ କରୁଛି ଶତାଧିକ ଅଙ୍ଗନବାଡି କେନ୍ଦ୍ର । ପୁଣି ଅଙ୍ଗନବାଡି କେନ୍ଦ୍ର ଜରିଆରେ ସମୟ ଅନୁସାରେ ଯୋଗାଇ ଦିଆଯାଉଛି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ।କିନ୍ତୁ ବିଭାଗୀୟ ମୁଖ୍ୟ ଏବଂ କାର୍ଯ୍ୟାଳୟର କର୍ମଚାରୀଙ୍କ ସଠିକ ତଦାରଖର ଅଭାବ ଓ ଦୁର୍ନୀତି ମୂଳକ ମନୋଭାବ ଯୋଗୁ ସେଗୁଡିକର ସୁଫଳ ଶତପ୍ରତିଶତ ତୃଣମୂଳ ସ୍ତରରେ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନ ଦକ୍ଷିଣ ଅରିମୁଲଠାରେ ରହିଛି ଏକ ଅଙ୍ଗନବାଡି କେନ୍ଦ୍ର । ଉକ୍ତ କେନ୍ଦ୍ରରେ ଭାର୍ଗବି ବେହେରା ଅଙ୍ଗନବାଡି କର୍ମୀଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସଠିକ ସମୟରେ ଶିଶୁ ଏବଂ ଗର୍ଭବତୀ ଓ ପ୍ରଶୂତି ମହିଳାଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉନଥିବା ଜଣାପଡିଛି । ଏଥିସହିତ ଅଙ୍ଗନବାଡି କର୍ମୀଜଣକ କେନ୍ଦ୍ରରେ ସର୍ବଦା ଅନୁପସ୍ଥିତ ରହିଥାନ୍ତି । ପୁଣି ଉପସ୍ଥିତ ରୁହନ୍ତି ଯେଉଁଦିନ ଅଙ୍ଗନବାଡି କେନ୍ଦ୍ରରେ ସର୍ବଦା କେହି ପିଲା ନଥିବେ । ଏହାଛଡା କେନ୍ଦ୍ରରେ ଖାଦ୍ୟ ସାମଗ୍ରୀ ଭଣ୍ଡାରଘର ଥିଲେ ମଧ୍ୟ ଅଙ୍ଗନବାଡି କର୍ମୀଜଣକ ଖାଦ୍ୟ ସାମଗ୍ରୀକୁ ନିଜଘରେ ବହୁବାର ରଖିଥାନ୍ତି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ସୁପରଭାଇଜରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଧା ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଆହୁରି ମଧ୍ୟ ନିକଟରେ ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ଚାଉଳରେ ପୋକ ସାଲୁବାଲୁ ଓ ମୂଷାନଣ୍ଡି ଭର୍ତ୍ତିଥିବା ଦେଖିବାକୁ ମିଳିଛି ।ଏହିଭଳି ବିଭିନ୍ନ ଅଭିଯୋଗ ଦର୍ଶାଇ ଯାଜପୁର ବିଜେପି ଯୁବମୋର୍ଚ୍ଚାର ସକ୍ରିୟ କର୍ମୀ ମନୋଜ ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ସମୂହ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

two × 2 =