ପାକିସ୍ତାନରେ ଘିଅ, ଅଟା, ଚିନି ମୂଲ୍ୟ ଆକାଶଛୁଆଁ

0

ଇସଲାମାବାଦ : ପାକିସ୍ତାନରେ ସାଧାରଣ ଜନତାଙ୍କ ପାଇଁ ଦର ବୃଦ୍ଧି ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦେଶର ଗରିବ ଲୋକଙ୍କୁ ୟୁଟିଲିଟୀ ଷ୍ଟୋରସ କର୍ପାରେସନ ରିଆତି ମୂଲ୍ୟରେ ଏହି ସାମଗ୍ରୀ ଯୋଗାଇ ଦେଉଥିବା ସତ୍ତ୍ୱ ଏହା ଲୋକଙ୍କ ପାଇଁ ଗ୍ରହଣୀୟ ହେଉନଥିବା ଜଣାପଡିଛି । ବର୍ତ୍ତମାନ ପାକିସ୍ତାନରେ ଘିଅ, ଅଟା, ଚିନି ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି । ୟୁଟିଲିଟି ଷ୍ଟୋରରେ ଘିଅ କିଲୋ ପିଛା ୨୬୦ ଟଙ୍କାରେ ବିକ୍ରି କରାଯାଉଛି । ପୂର୍ବରୁ ଏହା ୧୭୦ ଟଙ୍କାରେ ମିଳୁଥିଲା । ସରକାର ଘିଅ ମୂଲ୍ୟକୁ ୫୩ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡିଛି । ୨୦ କିଲୋ ଅଟା ବସ୍ତା ବର୍ତ୍ତମାନ ୯୫୦ ଟଙ୍କାରେ ବିକ୍ରି କରାଯାଉଛି । ପୂର୍ବରୁ ଏହା ୮୦୦ ଟଙ୍କାରେ ମିଳୁଥିଲା । ଏଥିରେ ୧୯ ପ୍ରତିଶତ ମୂଲ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ଚିନି କିଲୋ ପିଛା ୬୮ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ କିଲୋ ପିଛା ୮୫ ଟଙ୍କାରେ ବିକ୍ରି କରାଯାଉଛି । ଚିନି ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡିଛି । ରିଆତି ମୂଲ୍ୟ ଓ ପ୍ରକୃତ ମାର୍କେଟ ମୂଲ୍ୟରେ ଯଥେଷ୍ଟ ଫରକ ରହିଥିବାରୁ ୟୁଟିଲିଟୀ ଷ୍ଟୋରରେ ଖାଦ୍ୟ ସାମଗ୍ରୀ ମୂଲ୍ୟକୁ ବୃଦ୍ଧି କରାଯାଇଛି ବୋଲି ପାକିସ୍ତାନର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କାରଣ ଦର୍ଶାଇଛନ୍ତି । ଇମ୍ରାନ ଖାନ୍‌ ସରକାର ଇତିମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ମଧ୍ୟ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୧୧୮.୦୯ ଟଙ୍କା ଓ ଡିଜେଲ ଲିଟର ପିଛା ୧୧୬.୦୫ ଟଙ୍କାରେ ବିକ୍ରି କରାଯାଉଛି । ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ ପାକିସ୍ତାନରେ ଦାରିଦ୍ର୍ୟ ହାର ୪.୪ରୁ ୫.୪ ପ୍ରତିଶତକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

3 × 2 =