ଉଦ୍ୟାନ ବିଭାଗରେ ଦୁର୍ନୀତି; ଚାଷୀଙ୍କୁ ଦିଆଯାଉଛି ଦୁର୍ବଳ ଚାରା

0

ଫୁଲନଖରା : ଉଦ୍ୟାନ ବିଭାଗଦ୍ୱାରା ବିକ୍ରି କରାଯାଉଥିବା ଚାରାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ଆମ୍ବ ଓ ଲେମ୍ବୁ ଚାରାଗୁଡ଼ିକ ନିମ୍ନମାନର ଓ ରୋଗଗ୍ରସ୍ତବୋଲି ଅଭିଯୋଗ ହୋଇଛି । ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ପ୍ରତି ବ୍ଲକକୁ ଆମ୍ବ, ନଡ଼ିଆ, ଅମୃତ ଭଣ୍ଡା ଓ ଲେମ୍ବୁ ଆଦି ଚାଷ ପାଇଁ ଚାରା ଯୋଗାଇଦିଆଯାଇଛି । ଏହା ଉନ୍ନତ କିସମର ବୋଲି କୁହାଯାଉଥିଲେ ମଧ୍ୟ ସେଗୁଡ଼ିକ ନିମ୍ନ ମାନରବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ଚଳିତ ବର୍ଷ ଆମ୍ବ ଚାଷ ପାଇଁ ପାଖାପାଖି ୮ହଜାର ଆମ୍‌୍ରପଲ୍ଲୀ ଓ ଦଶରୀ କିସମର ଚାରା ପ୍ରତ୍ୟେକ ବ୍ଲକ ଉଦ୍ୟାନ ବିଭାଗକୁ ପଠାଯାଇଛି । ଆମ୍ବ ଚାରା ୩୫ଟଙ୍କା ଓ ସାଧାରଣ ଚାଷୀଙ୍କୁ ଗୋଟା ପ୍ରତି ୧୭ଟଙ୍କାରେ ବିଭାଗ ବିକ୍ରି କରୁଛି । ସେହିପରି ଲେମ୍ବୁ ଚାରା ୭ଟଙ୍କା, ନଡ଼ିଆ ୩୦ଟଙ୍କା (ମୂଲ୍ୟ ୬୦ଟଙ୍କା) ଏବଂ ଅମୃତ ଭଣ୍ଡା ଚାରା ପ୍ରତି ୧୫ଟଙ୍କା ଦରରେ ବିକ୍ରୟ ହେଉଛି । ମାତ୍ର ମୂଲ୍ୟ ଅନୁସାରେ ଚାରାଗୁଡ଼ିକ ଉନ୍ନତ ମାନର ନୁହେଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅମୃତ ଭଣ୍ଡା ଚାରା ବ୍ଲକରେ ମିଳୁନଥିବାବେଳେ ଚାଷୀଙ୍କୁ ନର୍ସରୀରୁ ଚାରା ଆଣିବା ପାଇଁ ବିଭାଗ କହୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ଟାଙ୍ଗି ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଅଧିକାଂଶ ସମୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ସମ୍ପୃକ୍ତ ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟ ଆଶାନୁରୂପେ ଅଗ୍ରଗତି କରିପାରୁନାହିଁବୋଲି କୁହାଯାଉଛି । ଏକାଧିକ ବ୍ଲକରେ ଚାରା ବିକ୍ରୟ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ପାଇଁ ବିପୁଳ ଅର୍ଥ ଯୋଗାଇ ଦେଉଥିଲାବେଳେ ଚାଷୀମାନଙ୍କୁ ଅନୁନ୍ନତ ଚାରା ଦିଆଯାଉଛି । ଏ ସମ୍ପର୍କରେ ଜିଲା ଉଦ୍ୟାନ ବିଭାଗ ଉପ ନିର୍ଦେଶକ ବୈଷ୍ଣବ ବାରିକଙ୍କୁ ପଚାରିବାରୁ ବୈଜ୍ଞାନିକ ପଦ୍ଧତିରେ ଚାରାଗୁଡ଼ିକୁ ପରୀକ୍ଷା କରି ଚାଷୀଙ୍କୁ ଦିଆଯାଉଛି । ଜିଲାରେ ଆମ୍ବ ଚାଷ ପାଇଁ ଏ ବର୍ଷ ଆମ୍ରପଲ୍ଲୀ ଓ ଦଶରୀ କିସମର ୮ହଜାର ଚାରା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.

ten − five =