‘ମନ କି ବାତ’: ପ୍ରାକୃତିକ ବିପର୍ଯ୍ୟୟ ଓ ଚୀନ ସହ ସଂଘର୍ଷ ବିଷୟରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ଅନଲକ’ ସମୟରେ ସତର୍କ ରହିବାକୁ ଦେଲେ ପରାମର୍ଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତରେ ଦେଶକୁ ସମ୍ବୋଧିତ କରି ଭାରତବାସୀ କିଭଳି ପ୍ରାକୃତିକ ବିପର୍ଯୟ ସହ ଲଢ଼ି ସଫଳ ହୋଇଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ଏହା ସହ ଆତ୍ମନିର୍ଭର ହେବା ପାଇଁ କହିବା ସହ ଚୀନ ସହ ଚାଲିଥିବା ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ସେ କହିଥିଲେ, ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ କିଛି ଲୋକ ୨୦୨୦ କେବେ ଶେଷ ହେବ ସେ ବିଷୟରେ ଚିନ୍ତା କରୁଛନ୍ତି | ୨୦୨୦ରେ ଆମ ଦେଶ କରୋନା ଭଳି ମହାମାରୀ ସହ ଲଢ଼ିବା ସହ, ‘ଅମ୍ଫାନ’ ଏବଂ ନିସର୍ଗ ଭଳି ବାତ୍ୟା, ପଙ୍ଗପାଳ, ଭୂମିକମ୍ପ ଏବଂ ଚୀନ ସହ ବିବାଦର ସମସ୍ୟାକୁ ସାମ୍ନା କରିଛି | ଏକା ସାଙ୍ଗରେ ଏତେ ସମସ୍ୟା ଆସୁଥିବାରୁ ୨୦୨୦ କେବେ ସରିବ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି | କିନ୍ତୁ ଆମେମାନେ ମିଳିମିଶି ଏହି ସବୁ ସମସ୍ୟାର ସାମ୍ନା କରି ପାରିବା | ଆମର ଇତିହାସ ଦର୍ଶାଏ ଯେ, ଆମେ ସବୁବେଳେ ଅନେକ ବଡ ବଡ ସମସ୍ୟାର ସାମ୍ନା ସାହସର ସହ କରିଛୁ ଏବଂ ଏହା ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛୁ |
ଦେଶର ଯବାନମାନଙ୍କ ବଳିଦାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ନିଜର ସୀମା ତଥା ସାର୍ବଭୌମତ୍ଵର ସୁରକ୍ଷା ପାଇଁ ଭାରତର ପ୍ରତିବଦ୍ଧତାକୁ ବିଶ୍ୱ ଦେଖିଛି। ଲଦାଖରେ ଆମ ସୀମାକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିବା ଶତ୍ରୁକୁ ଉପଯୁକ୍ତ ଜବାବ ଦିଆଯାଇଛି | ‘ଭାରତ ମିତ୍ରତା ନିଭାନା ଜାନତା ହେ, ତୋ ଆଁଖ ମେଁ ଆଁଖ ଡାଲକର ଦେଖନା ଔର ଉଚିତ ଜବାବ ଦେନା ଭି ଜାନତା ହେ’ ବୋଲି କହି ଲଦାଖରେ ଭାରତୀୟ ଯବାନମାନେ ଚୀନକୁ ଦେଇଥିବା ଉଚିତ ଜବାବ ବିଷୟରେ ଚର୍ଚ୍ଚା କରିଥିଲେ |