କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଦକ୍ଷ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା।ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦ୍ଘାତ ହୋଇଥିଲା ଓ ସେଥିରେ ତାଙ୍କର ପରଲୋକ ହୋଇଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରମାନେ କହିଥିଲେ ସୁଦ୍ଧା ସ୍ୱାବ ସଂଗ୍ରହ କରାଯାଇ କୋଭିଡ୍ ଟେଷ୍ଟ୍ ପାଇଁ ପଠାଯାଇଛି।ଚିରଞ୍ଜୀବୀ ୨୦୦୯ ମସିହାରେ କନ୍ନଡ଼ ଫିଲ୍ମ ‘ବାୟୁପୁତ୍ର’ରୁ ଡେବ୍ୟୁ କରିଥିଲେ। ସେ ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ସାଉଥ୍ ଇଣ୍ଡିଆନ୍ ଷ୍ଟାର ଅର୍ଜୁନ୍ ସାରଜାଙ୍କ ପୁତୁରା ଥିଲେ। ସେହିପରି ଅଭିନେତା ଧ୍ରୁବ ସାରଜା ହେଉଛନ୍ତି ତାଙ୍କ ଭାଇ।ଚିରଞ୍ଜୀବୀଙ୍କ ପରଲୋକରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଓ ପ୍ରସିଦ୍ଧ କ୍ରିକେଟ୍ର ଅନୀଲ କୁମ୍ବଲେ ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଅନୀଲ ଟ୍ୱିଟ୍ କରି ଲେଖିଛନ୍ତି, ଚିରଞ୍ଜୀବୀଙ୍କ ପରଲୋକ ଖବର ପାଇଁ ମୁଁ ଗଭୀର ମର୍ମାହତ। ଜଣେ ଦକ୍ଷ ଯୁବକ ବହୁଶୀଘ୍ର ଛାଡ଼ି ଚାଲିଗଲେ।