କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଫ୍ଲାଗ ସିପ୍ କାର୍ଯ୍ୟକ୍ରମ “ଖେଲୋ ଇଣ୍ଡିଆ ଯୋଜନା” ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ଏଥିପାଇଁ ଗୋଟିଏ ଲେଖାଏଁ କେଆଇଏସିଇ ସ୍ଥାପନ ସକାଶେ ସ୍ଥାନ ଚିହ୍ନଟ କରାଯିବ । ପ୍ରଥମ ଚରଣରେ ମନ୍ତ୍ରାଳୟ ପକ୍ଷରୁ ଆଠଟି ରାଜ୍ୟରେ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ସଂସାଧନ ସୁବିଧାକୁ ଚୟନ କରାଯାଇଛି ଏବଂ ସେଥିରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ତେଲଙ୍ଗାନା ଏବଂ ଉତ୍ତର ପୂର୍ବାଞ୍ଚଳର ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ ରହିଛି । ଏହିସବୁ ରାଜ୍ୟର କ୍ରୀଡ଼ା କେନ୍ଦ୍ରଗୁଡ଼ିକୁ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଭାବେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ରିଜିଜୁ କହିଲେ ଯେ ଏହା ରାଜ୍ୟଗୁଡ଼ିକରେ କ୍ରୀଡ଼ା ସୁବିଧାକୁ ସୁଦୃଢ଼ କରିବ । ଅଲମ୍ପିକ କ୍ରୀଡ଼ାରେ କିଭଳି ଭାବେ ଭାରତୀୟ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନ ଉନ୍ନତ ମାନର ହୋଇପାରିବ ତାହା ସୁନିଶ୍ଚିତ କରିବା ସକାଶେ ସରକାର ରାଜ୍ୟମାନଙ୍କରେ ଏଭଳି ଖେଲୋ ଇଣ୍ଡିଆ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ରମାନ ପ୍ରତିଷ୍ଠା କରିବେ । ଏହା ଫଳରେ ରାଜ୍ୟମାନଙ୍କରେ ଉନ୍ନତ ମାନର କ୍ରୀଡ଼ା ସଂସାଧନ ଉପଲବ୍ଧ କରାଯିବ ଯଦ୍ୱାରା କ୍ରୀଡ଼ାବିତମାନେ ସହଜରେ କ୍ରୀଡ଼ା ଅଭ୍ୟାସ କରିପାରିବେ । ସମସ୍ତ କ୍ରୀଡ଼ାବିତଙ୍କ ନିମନ୍ତେ ବିଶ୍ୱସ୍ତରୀୟ କ୍ରୀଡ଼ା ସଂସାଧନ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ । ଏହାଦ୍ୱାରା ସେମାନେ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ କ୍ରୀଡ଼ାଭ୍ୟାସ କରିପାରିବେ । ସରକାରୀ କମିଟିରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ ଏଭଳି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହାଦ୍ୱାରା ଦେଶର ବିଭିନ୍ନ ରାଜ୍ୟରେ ଥିବା ନୂଆ ନୂଆ ତଥା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ କ୍ରୀଡ଼ାଭ୍ୟାସର ସକଳ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସମ୍ଭବପର ହୋଇପାରିବ । ଏହା ସେମାନଙ୍କୁ ସମସ୍ତ ପ୍ରମୁଖ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ବିଶେଷ କରି ଅଲିମ୍ପିକ ପ୍ରତିଯୋଗିତାରେ ଦେଶପାଇଁ ପଦକ ବିଜୟୀ କରିବାରେ ସହାୟକ ହେବ ବୋଲି ରିଜିଜୁ କହିଛନ୍ତି ।