ବୃନ୍ଦାଦେଇପୁରରେ ବାଲି ମାଫିଆଙ୍କ ରାଜ: ରାସ୍ତାରେ ଜମୁଛି ବାଲିର ଆସ୍ତରଣ

ବଢୁଛି ସଡକ ଦୁର୍ଘଟଣା, ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ?

0

ବୃନ୍ଦାଦେଇପୁର (ଯାଜପୁର): ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ ବୃନ୍ଦାଦେଇପୁର ବାଲିଘାଟ ପାଲଟିଛି ଏବେ ବାଲିମାଫିଆମାନଙ୍କର ଭୂସ୍ୱର୍ଗ । ଉକ୍ତ ବାଲିଘାଟକୁ ତହସିଲ ପକ୍ଷରୁ ଲିଜ ଦିଆଯାଇଥିଲେ ସୁଦ୍ଧା ଲିଜଧାରୀମାନେ ସରକାରୀ ଆଇନକୁ ଦଳିମକଚି ମନଇଚ୍ଛା ହାଇୱା, ଟ୍ରକ ଆଦି ଭାରିଯାନ ଯୋଗେ ବାଲି ପରିବହନ କରାଇବାରେ ଲାଗିଛନ୍ତି ।ବାଲି ବୋଝେଇ ଭାରିଯାନ ଗୁଡିକ ଜାରକା-କବାଟବନ୍ଧ ନଦୀବନ୍ଧ ରାସ୍ତାଦେଇ ପ୍ରତିଦିନ ଯାଉଥିବା ସମୟରେ ସେଥିରେ ଭଲ ଭାବେ ପାଲ ଘୋଡାଯାଉନଥିବାରୁ ସେଥିରୁ ବାଲି ଗଳି ନଦୀବନ୍ଧ ରାସ୍ତାରେ ବାଲିର ଏକ ମୋଟା ଆସ୍ତରଣ ଜମିଥିବାର ପରିଲକ୍ଷିତ ହୋଇଛି ।ଫଳସ୍ୱରୂପ ବାଇକ ଓ ସାଇକେଲ ଆରୋହୀମାନେ ଯାତାୟାତ ସମୟରେ ସେମାନଙ୍କ ଆଖିରେ ବାଲିଉଡି ପଡିବା, ଏପରିକି ବିଭନ୍ନ ସମୟରେ ବାଲିରେ ଧସିହେବା କାରଣରୁ ଛୋଟବଡ ଦୁର୍ଘଟଣାର ଶିକାର ହୋଇଆସୁଛନ୍ତି ।କେତେକ ସ୍ଥାନରେ ଭାରିଯାନ ଗୁଡ଼ିକ ହଠାତ ବ୍ରେକ ମାରିଦେବାରୁ ପିଚୁ ମଧ୍ୟ ଉଠିଯାଉଛି । ଏପରି ସ୍ଥିତିରେ ବ୍ରାହ୍ମଣୀ ନଦୀବନ୍ଧ କ୍ରମଶଃ ଦୁର୍ବଳ ହୋଇପଡିବା ସହ ସ୍ଥାନେ ସ୍ଥାନେ ଆଣ୍ଠୁଏ ଆଣ୍ଠୁଏ ଖାଲ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି । ନଦୀବନ୍ଧ ଦୁର୍ବଳ ହେଲେ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ପ୍ରତିବର୍ଷ ବ୍ରାହ୍ମଣୀ ନଦୀରେ ଦେଖାଦେଉଥିବା ବନ୍ୟା ଦ୍ୱାରା ପ୍ରଭାବିତ ହେବାର ମଧ୍ୟ ସମ୍ଭାବନା ରହିଛି । ଗୋଟିଏ ପଟେ ବାଲିମାଫିଆମାନେ ଏଠାରେ ମାଲାମାଲ ହୋଇଆସୁଥିବା ବେଳେ ଅନ୍ୟ ପଟେ ଅଞ୍ଚଳବାସୀଙ୍କ ଜନଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ଲିଜଧାରୀଙ୍କ ସହାୟତାରେ ରାସ୍ତାରୁ ବାଲି ସଫା କରାଯିବାର ନିୟମ ଥିଲେ ସୁଦ୍ଧା ତାହାକୁ ଏଠାରେ କାର୍ଯ୍ୟକାରୀ କରାଯାଉ ନାହିଁ । କେବଳ ତଦାରଖ କରାଯିବାର ସୁରାକ ମିଳିଲେ ତରବରିଆ ଭାବେ ସଫା କରାଯାଇଥାଏ। ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରି ନଥିଲା । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାକୁ ତଦାରଖ କରିବା ପୂର୍ବକ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

1 × 1 =