ମୋତେ ଅଷ୍ଟ୍ରେଲିଆ ଗସ୍ତରେ ନେବାକୁ ଗାଙ୍ଗୁଲି ଚାହିଁନଥିଲେ: ଇର୍ଫାନ୍‌

0

ଗତ ୨୦୦୩ ଅଷ୍ଟ୍ରେଲିଆ ଗସ୍ତରୁ ତାଙ୍କୁ ଭାରତୀୟ ଦଳରୁ ବାଦ୍‌ ଦିଆଯିବାର ଚିନ୍ତା କରାଯିବା କଥା ମନେ ପକାଇଛନ୍ତି ତତ୍‌କାଳୀନ ବାମହାତୀ ଦ୍ରୁତ ବୋଲର ଇର୍ଫାନ୍‌ ପଠାନ୍‌। ଏପରିକି ସେତେବେଳେ ସେ କିପରି ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମର୍ଥନ ପାଇଥିଲେ ସେ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ସେତେବେଳେ ମୋତେ ୧୯ ବର୍ଷ ହୋଇଥାଏ। ଅଷ୍ଟ୍ରେଲିଆ ଶୃଙ୍ଖଳା ଭାରତ ପାଇଁ କଷ୍ଟସାଧ୍ୟ ହେବ ବୋଲି ବିଶ୍ବାସ ରହିଥିଲା। ସେଥିପାଇଁ ଉଭୟ ଟେଷ୍ଟ୍‌ ଓ ଦିନିକିଆ ପାଇଁ ଶ୍ରେଷ୍ଠ ଦଳ ମନୋନୟନ କରାଯାଇଥାଏ। ଉଭୟ ଦଳରେ ମଧ୍ୟ ଇର୍ଫାନ୍‌ଙ୍କୁ ସ୍ଥାନ ମିଳିଥିଲା। ହେଲେ ଶୃଙ୍ଖଳା ଶେଷ ହେଲା ବେଳକୁ ତାଙ୍କୁ ଦଳରେ ନନେବାକୁ ଗାଙ୍ଗୁଲି କିପରି ଚାହିଁନଥିଲେ ସେକଥା ମନେ ପକାଇଛନ୍ତି ଇର୍ଫାନ୍‌। ସ୍ପୋର୍ଟସ୍‌ଟକ୍‌କୁ ଏକ ସାକ୍ଷାତକାରରେ ଇର୍ଫାନ୍‌ କହିଥିଲେ, ସେହି ଅଷ୍ଟ୍ରେଲିଆ ଗସ୍ତ ମୋ ପାଇଁ ଅନ୍ୟତମ ସ୍ମରଣୀୟ ଥିଲା। ମୁଁ ପ୍ରଥମ ଥର ପାଇଁ ୱାସିମ୍‌ ଆକ୍ରମ୍‌ଙ୍କୁ ସେହି ଗସ୍ତରେ ଭେଟିଥିଲି ଏବଂ ତାଙ୍କୁ ହିଁ ଆଦର୍ଶ ମାନିଥିଲି। ମୁଁ କେବଳ ଦୁଇଜଣ ବୋଲରଙ୍କୁ ଆଦର୍ଶ ମାନିଥାଏ। ସେମାନଙ୍କ ମଧ୍ୟରୁ ପ୍ରଥମରେ କପିଳ ଦେବ ଥିଲେ। କପିଳ ଦେବ ଜଣେ ଦକ୍ଷ ଅଲ୍‌ରାଉଣ୍ଡର, ଶ୍ରେଷ୍ଠ ଅଧିନାୟକ ଏବଂ ମହାନ୍‌ ସୁଇଂ ବୋଲର। ଏଭଳି ସାମର୍ଥ୍ୟ ନଥିଲେ ଭାରତରେ ଖେଳିବା ସହଜ ହୋଇନଥାଏ। ହେଲେ ପାକିସ୍ତାନରେ ତୁମେ କୋକାବୁରା ବଲ୍‌ରେ ଖେଳିବ। କିନ୍ତୁ ତାଙ୍କ ସମୟରେ କପିଳ ଦେବ ଦକ୍ଷତା ବଳରେ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲେ ଏବଂ ତାଙ୍କ ପାଇଁ ଆଦର୍ଶ ବନିଯାଇଥିଲେ ବୋଲି କହିଛନ୍ତି ଇର୍ଫାନ୍‌। କପିଳଙ୍କ ବ୍ୟତୀତ ମୋର ଆଦର୍ଶର ଅନ୍ୟ ଜଣକ ହେଲେ ଆକ୍ରମ୍। ତାଙ୍କୁ ପ୍ରଥମ ଦେଖାରେ ହିଁ ମୁ ଖୁସୀ ହୋଇଯାଇଥିଲି। ତାଙ୍କ ସହ ଯଥେଷ୍ଟ ସକାରାତ୍ମକ ଆଲୋଚନା କରିଥିଲି ବୋଲି ଇର୍ଫାନ୍‌ ମନେ ପକାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପ୍ରକୃତରେ କଷ୍ଟସାଧ୍ୟ ଥିଲା। ମାତ୍ର ୧୯ ବର୍ଷ ବୟସରେ ସେଠାକୁ ଯାଇଥିଲା ବେଳେ ସେ ଅନେକ ପ୍ରତିଘାତ ପାଇଥିଲେ। ଶୃଙ୍ଖଳା ସରିଆସିଲା ବେଳେକୁ ଦାଦା (ଗାଙ୍ଗୁଲି) ମୋତେ କହିଥିଲେ, ଇର୍ଫାନ୍‌ ତୁମେ ନିହାତି ଜାଣିବା ଉଚିତ୍‌ ଯେ ମୁଁ ତୁମକୁ ଏହି ଗସ୍ତରେ ଆଣିବାକୁ ଚାହୁଁନଥିଲି। ମନୋନୟନ ପ୍ରକ୍ରିୟା ବେଳେ ତୁମ ନାମକୁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ ତୁମର ବୋଲିଂ ଯେ ‌ଦେଖିନାହିଁ କେବଳ ନୁହେଁ ଏତେ ବଡ଼ କଷ୍ଟକର ଗସ୍ତରେ ଜଣେ ୧୯ ବର୍ଷର ଖେଳାଳିକୁ ନେବାକୁ ଚାହିଁନଥିଲି ବୋଲି ଗାଙ୍ଗୁଲି କହିଥିଲେ। ହେଲେ ମୁଁ ଯେତେବେ‌ଳେ ତୁମକୁ ଦେଖିଲି, ସେତେବେଳେ ତୁମେ ଯେ ଭଲ କରିପାରିବ ଭାବିଲି ବୋଲି ଗାଙ୍ଗୁଲି କହିଥିବା କଥାକୁ ମନେ ପକାଇଛନ୍ତି ୩୫ ବର୍ଷ ବୟସ୍କ ଇର୍ଫାନ୍‌। ଏହାପରେ ମୋର ପୂରା ଆନ୍ତର୍ଜାତିକ ଜୀବନ ମଧ୍ୟରେ ଦାଦାଙ୍କଠୁ ଯଥେଷ୍ଟ ସମର୍ଥନ ପାଇଥିଲି। ଗୋଟିଏ କଥା କହିବାକୁ ଚା‌ହିଁବି, ଦାଦା ଯଦି ଜଣେ ଖେଳାଳିଙ୍କୁ ଭଲ ପାଆନ୍ତି ତାହାଲେ ତାଙ୍କୁ ପୂରା ସମର୍ଥନ ଅଜାଡ଼ି ଦିଅନ୍ତି। ଯଦି ଜଣେ ଖେଳାଳି ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଉଛି ବୋଲି ସେ ଅନୁଭବ କରନ୍ତି, ତାହାଲେ ତାଙ୍କୁ ସମର୍ଥନ ଦେବାକୁ ଅଧିକ ପସନ୍ଦ କରନ୍ତି ବୋଲି ଇର୍ଫାନ୍‌ କହିଛନ୍ତି। ଜଣେ ଯୁବ ଖେଳାଳି ଆଗକୁ ବଢ଼ିବା ପାଇଁ ଯେଉଁ ଆତ୍ମବିଶ୍ବାସ ଦରକାର ତାହା ଦାଦାଙ୍କଠୁ ମିଳିଥାଏ। ସେହିଦୃଷ୍ଟିରୁ ଦାଦାଙ୍କ ପାଇଁ ମୋର ଯଥେଷ୍ଟ ସମ୍ମାନ ରହିଥାଏ ବୋଲି କହିଛନ୍ତି ଇର୍ଫାନ୍‌।

Leave A Reply

Your email address will not be published.

11 − seven =