ଇରାକରେ ଆତ୍ମଘାତୀ ବିସ୍ଫୋରଣ, ୩୬ ମୃତ

0

ବାଗଦାଦ: ଇରାକ୍‌ର ରାଜଧାନୀ ବାଗଦାଦ ସହରରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୩୬ ଜଣ ପ୍ରାଣ ହରାଇଛନ୍ତି । ଆହତ ୬୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅନ୍ତର୍ଭୁକ୍ତ । ଆକ୍ରମଣ ପାଇଁ ଆଇଏସ୍‌ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ବକ୍ରି ଇଦ ପାଇଁ କିଣାକିଣି କରିବାକୁ ମାର୍କେଟରେ ଲୋକଙ୍କର ପ୍ରବଳ ଗହଳି ହୋଇଥିଲା । ଏହି ସମୟରେ ଆଇଏସ୍‌ ଆତଙ୍କବାଦୀ ଜଣକ ଶରୀରରେ ଖଞ୍ଜିଥିବା ବୋମାକୁ ରିମୋଟ ସାହାଯ୍ୟରେ ବିସ୍ଫୋରଣ କରାଇଥିବା କୁହାଯାଇଛି । ବିସ୍ଫୋରଣ ପରେ ସେହି ଅଞ୍ଚଳ ଧୂଆଁରେ ଆଚ୍‌ଛାଦିତ ହୋଇଥିବାବେଳେ ଚତୁର୍‌ଦିଗରୁ କ୍ରନ୍ଦନ ସ୍ୱର ଶୁଣିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିବାବେଳେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା । ଏହି ଘଟଣାରେ ଇରାକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଗଭୀର ଶୋକପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏଭଳି ହୀନ ମାନସିକତାକୁ ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.