ଗୁଜରାଟକୁ ପ୍ରଧାନମନ୍ତ୍ରୀଙ୍କ ୫ ଷ୍ଟାର ଗିଫ୍ଟ

0

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ୧,୧୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବିଭିନ୍ନ ପରିଯୋଜନା ଉଦଘାଟନ କରିବା ସହ ସେଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପରିଯୋଜନା ମଧ୍ୟରେ ପୁନଃବିକଶିତ ଗାନ୍ଧୀନଗର ରେଳ ଷ୍ଟେସନ ଉପରେ ନିର୍ମିତ ଏକ ନୂଆ ପଞ୍ଚତାରକା ହୋଟେଲ, ଗୁଜରାଟ ସାଇନ୍ସ ସିଟିରେ ଆକ୍ୱାଟିକ୍ସ ଓ ରୋଟିକ୍ସ ଗ୍ୟାଲେରୀ ତଥା ନେଚର ପାର୍କ ସାମିଲ । ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଉଦ୍‌?ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳ ରାଜ୍ୟମନ୍ତ୍ରୀ ଦର୍ଶନା ଜରୋଶ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ । ୭୯୦ କୋଟି ଟଙ୍କା ବ୍ୟୟରେ ଗାନ୍ଧୀନଗର ଷ୍ଟେସନ୍‌ ଉପରେ ନିର୍ମିତ ପଞ୍ଚତାରକା ହୋଟେଲ୍‌ରେ ମୋଟ ୩୧୮ ରୁମ ରହିଛି । ଗାନ୍ଧୀନଗର ରେଳ ଷ୍ଟେସନର ପୁନଃବିକାଶ ଓ ଏହା ଉପରେ ପଞ୍ଚତାରକା ହୋଟେଲର ନିର୍ମାଣ କାର୍ଯ୍ୟ ୨୦୧୭ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ହୋଟେଲର ଠିକ ସାମ୍ନାରେ ମହାତ୍ମା ମନ୍ଦିର ନାମରେ ଏକ ସମ୍ମିଳନୀ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସମ୍ମିଳନୀ ଓ ସେମିନାରରେ ଭାଗ ନେବାକୁ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ଅତିଥିମାନେ ଏହି ହୋଟେଲରେ ଅବସ୍ଥାନ କରିବେ । ଗାନ୍ଧୀନଗର ରେଳ ଷ୍ଟେସନ ଦେଶର ପ୍ରଥମ ପୁନଃବିକଶିତ ଷ୍ଟେସନ, ଯେଉଁଠାରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ବୋଲି ଜଣେ ଅଧିକାରୀ କହିଛନ୍ତି । ଷ୍ଟେସନରେ ଦୁଇଟି ଏସ୍କାଲେଟର, ଦୁଇଟି ଏଲିଭେଟର ଓ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଦୁଇଟି ଅଣ୍ଡରଗ୍ରାଉଣ୍ଡ ଫୁଟ ପାଥ୍‌ ରହିଛି ।
ଅହମ୍ମଦାବାଦ ସାଇନ୍ସ ସିଟିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଆକ୍ୱାଟିକ ଗ୍ୟାଲେରୀର ନିର୍ମାଣରେ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହା ଦେଶର ସବୁଠୁ ବଡ଼ ଆକ୍ୱାରିୟମ । ସେହିପରି ୧୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ରୋବୋଟିକ ଗ୍ୟାଲେରୀରେ ୭୯ ଭିନ୍ନ ପ୍ରକାରର ୨୦୦ ରୋବୋଟ ରଖାଯାଇଛି । ପ୍ରାୟ ୧୪ କୋଟି ଟଙ୍କାରେ ନିର୍ମିତ ନେଚର ପାର୍କ ୨୦ ଏକର ଜମି ଉପରେ ଅବସ୍ଥିତ । ଏଥିରେ ବିଭିନ୍ନ ଜୀବଜନ୍ତୁଙ୍କ ମୂର୍ତ୍ତି ଥିବାବେଳେ ଏକ ସ୍ୱତନ୍ତ୍ର ପ୍ରକାରର ଉଦ୍ୟାନ ମଧ୍ୟ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗର ଓ ବାରାଣସୀ ମଧ୍ୟରେ ଏକ ନୂଆ ସାପ୍ତାହିକ ସୁପରଫାଷ୍ଟ ଟ୍ରେନ, ଗାନ୍ଧୀନଗର ଏବଂ ମେହସାଣା ମଧ୍ୟରେ ଏକ ମେମୁ (ମେନଲାଇନ ଇକ୍‌ଟ୍ରେିକ ମଲ୍ଟପଲ ଯୁନିଟ) ଟ୍ରେନ, ୫୪ କିଲୋମିଟର ଲମ୍ବା ମେହସାଣା-ବରେଠା ବ୍ରଡ୍‌ଗଜ୍‌ ରେଳ ଲାଇନର ବିଦ୍ୟୁତୀକରଣ ଏବଂ ସୁରେନ୍ଦ୍ରନଗର ଏବଂ ପିପାବାଭ ଷ୍ଟେସନ୍‌ ମଧ୍ୟରେ ୨୬୬ କିଲୋମିଟର ଦୀର୍ଘ ରେଳଖଣ୍ଡକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ୮.୫ କୋଟି ଟଙ୍କ ବ୍ୟୟରେ ନିର୍ମିତ ବଡ଼ନଗର ରେଳ ଷ୍ଟେସନର ନୂଆ ବିଲ୍ଡିଂକୁ ମଧ୍ୟ ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.

three × four =