ଜର୍ମାନୀରେ ଭୟଙ୍କର ବନ୍ୟା : ଶତାଧିକ ମୃତ

0

ବର୍ଲିନ୍‌ : ଜର୍ମାନୀର ପଶ୍ଚିମାଞ୍ଚଳରେ ଭୟଙ୍କର ବନ୍ୟାରେ ପ୍ରାୟ ୧୦୩ ଜଣଙ୍କର ପ୍ରାଣହାନି ହୋଇଥିବା ବେଳେ ଏକ ହଜାରରୁ ଉଦ୍ଧ୍ୱର୍ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି । ଉତ୍ତର ରିନେ ବେଷ୍ଟଫାଲିଆ ଓ ରାଇନଲାଣ୍ଡ-ପାଲେଟିନେଟରେ ନଦୀକୂଳ ଲଂଘିଥିବା ବନ୍ୟାଜଳ ଗାଁଗୁଡ଼ିକରେ ମାଡ଼ିଯାଇଛି । ବନ୍ୟା ଯୋଗୁଁ କ୍ରମାଗତ ଭାବେ ଅସୁବିଧା ବଢ଼ିବାରେ ଲାଗିଥିବା ରାଇନଲାଣ୍ଡ-ପାଲେଟିନେଟ୍‌ ପ୍ରିମିୟର ମାଲୁ ଡ୍ରେୟର କହିଛନ୍ତି । ସେ କହିଛନ୍ତି, କେବଳ ତାଙ୍କର ରାଜ୍ୟରେ ୫୦ରୁ ଊର୍ଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ଏବଂ ଏହାର ପୁନଃନିର୍ମାଣରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ବନ୍ୟାଗ୍ରସ୍ତ ବହୁ ଅଞ୍ଚଳରେ ମୋବାଇଲ୍‌ ନେଟୱାର୍କ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି । ଫଳରେ ଲୋକମାନେ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି । ଏଫ୍‌ର୍ଟଷ୍ଟାଟରେ କଲୋନ ନିକଟରେ ବହୁ ଘର ଭୁଶୁଡ଼ି ପଡ଼ିଛି ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଲୋକଙ୍କୁ ବନ୍ୟା ସମ୍ପର୍କରେ ଚେତାବନୀ ଦିଆଯାଇଥିଲେ ମଧ୍ୟ ଲୋକମାନେ ନିଜ ନିଜ ଘରକୁ ଚାଲିଯାଇଥିଲେ । ସେହିପରି ଅନେକ ଲୋକ ନିଜ ନିଜ ଘରେ ଫସି ରହିଥିବା ବେଳେ ବହୁ ଲୋକ ଏବେ ବି ନିଖୋଜ ରହିଛନ୍ତି । ଗ୍ୟାସ ଲିକ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବେଲଜିୟମ୍‌ ସୀମାରେ ଥିବା ଏକ ନଦୀବନ୍ଧ ବନ୍ୟାଜଳରେ ଉବୁଟୁବୁ ହେଉଥିବା ବେଳେ ଅନ୍ୟ କେତେକ ବନ୍ଧ ଭାଙ୍ଗିଯାଇଛି । ୧୯୬୨ ପରେ ପ୍ରଥମ ଥର ପାଇଁ ଜର୍ମାନୀରେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଏତେ ଲୋକଙ୍କ ମୃତ୍ୟୁ ଘଟିଛି । ୧୯୬୨ ବନ୍ୟାରେ ଦେଶରେ ୩୪୦ ଲୋକଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

16 − 15 =