କରୋନା କାରଣରୁ ପୁଲିସର କଡ଼ା କଟକଣା ପାଇଁ ଅପରାଧ ନିୟନ୍ତ୍ରଣରେ ରହିଥିଲା। ହେଲେ କଟକଣା କୋହଳ ହେଲା ପରେ ଅପରାଧୀ ସକ୍ରିୟ ହୋଇ ଉଠିଛନ୍ତି। ଲୁଟେରା ସକ୍ରିୟ ହୋଇପଡ଼ି ଥିବାରୁ ପୁଲିସ ନାକେଦମ୍ ହେଲାଣି। ବିଶେଷକରି ଚାରି ଚକିଆ ଚୋର ଗ୍ୟାଙ୍ଗ ପୁଲିସର ଚିନ୍ତା ବଢ଼ାଇଛି। ଗତ ଦେଢ ମାସ ଭିତରେ ୧୦ଟି ଗାଡ଼ି ଚୋରି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଚୋର ଗ୍ୟାଙ୍ଗର ପିଛା କରି କରି ପୁଲିସକୁ ନିରାଶ ହେବାକୁ ପଡ଼ିଛି।ସବୁଠୁ ବଡ଼ କଥା ହେଲା ଚାରିଚକିଆ ଚୋର ଗ୍ୟାଙ୍ଗ ଯେଉଁ ଗାଡ଼ି ଚୋରି କରୁଛନ୍ତି, ସେହି ଗାଡ଼ିରେ ଆଉ ଗୋଟିଏ ଗାଡ଼ି ନେବାକୁ ଆସୁଛନ୍ତି। ଏମିତି ଢଙ୍ଗରେ ଗାଡ଼ି ଲୁଟୁଥିବା ଗ୍ୟାଙ୍ଗ ପୁଲିସ ହାତରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି।ଗତ ୨୯ ତାରିଖରେ ଇନ୍ଫୋସିଟି ଥାନା ଅଧୀନ କାନନବିହାର ଫେଜ ୨ ପ୍ଲଟ୍ ୮୫୨ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ କାର୍ ଚୋରି ହୋଇଥିଲା। ଏ ନେଇ ସେ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ମାମଲା ହେବାପରେ ପୁଲିସ୍ ଘଟଣାର ତନାଘନା କରିଛି। ମାତ୍ର ସବୁ ଘଟଣା ଭଳି ଏହି ଘଟଣାରେ ମଧ୍ୟ ପୁଲିସ ହାତ ଖାଲି ରହିଛି। ଏହି ଘଟଣାକୁ ମିଶାଇ ଲକଡାଉନ୍ ସମୟରେ ୧୦ଟି ଚାରି ଚକିଆ ଗାଡ଼ି ଭୁବନେଶ୍ବରର ବିଭନ୍ନ ଥାନାରୁ ଚୋରି ହେଲାଣି। ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଧୀନରୁ ୨ଟି, ଲକ୍ଷ୍ମୀସାଗର ଥାନା ଅଧୀନରୁ ୨ଟି, ବଡ଼ଗଡ଼ ଥାନା ଅଧୀନରୁ ୨, ଧଉଳି ଥାନା ଅଧୀନରୁ ୧ ଓ ଖଣ୍ଡଗିରି ଥାନା ଅଧୀନରୁ ଗୋଟିଏ ବୋଲେରୋ ଚୋରି ହୋଇଛି। ବିଏମ୍ସିର ରିଲିଫ୍ ଗାଡ଼ି ଚୋରି କରି ଫେରାର ହେଉଥିବା ସମୟରେ ପିପିଲିରୁ ଧରା ପଡ଼ିଥିଲା। ଧଉଳି ଥାନା ଏହି ଗାଡ଼ିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଫେରାର ହେବାରେ ସକ୍ଷମ ହୋଇଥିଲେ। ଲକ୍ଷ୍ମୀସାଗର ଓ ବଡ଼ଗଡ଼ ଅଞ୍ଚଳରୁ ଚୋରି ହୋଇଥିବା ବୋଲେରୋ ସହ ଏହି ଗ୍ୟାଙ୍ଗ ସଦସ୍ୟଙ୍କ ଲିଙ୍କ୍ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ପୂର୍ବରୁ ଏହି ଦୁଇ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଗାଡ଼ି ଛାଡ଼ି ଦେଇ ପଳାଇଥିଲେ। ସେହିପରି ଖଣ୍ଡଗିରି ଅଞ୍ଚଳରୁ ଚୋରି ହୋଇଥିବା ବୋଲେରୋକୁ ପୁଲିସ ପୁରୁଣା ଭୁବନେଶ୍ବର ଅଞ୍ଚଳର ରାସ୍ତା କଡ଼ରୁ ଜବତ କରିଥିଲା। କିନ୍ତୁ ପୁଲିସ ଏ ଯାଏଁ ଗ୍ୟାଙ୍ଗ ସଦସ୍ୟଙ୍କ ଟେର୍ ପାଉନି।
ଚୋରି ବୋଲେରୋ ଜବତ, ଚୋର ଫେରାର୍
ଚନ୍ଦ୍ରଶେଖରପୁର : ଲକ୍ଡାଉନ୍ ସମୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେରୋ ଗାଡ଼ିକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଜବତ କରିଛି। ଚୋର ଜଣକ ଗାଡ଼ି ଛାଡ଼ି ପଳାଇଯାଇଛି। ବିଭିନ୍ନ ଛକରେ ଚେକିଂ ଚାଲିଥିବା ବେଳେ ପୁଲିସ୍ ଭୟରେ ଦୁର୍ବୃତ୍ତ ଜଣକ ରାସ୍ତା କଡ଼ରେ ଗାଡ଼ି ଛାଡ଼ି ପଳାଇଥିବା ପୁଲିସ୍ ଅନୁମାନ କରୁଛି। ରାସ୍ତା କଡ଼ରେ ଗାଡ଼ିଟି ରହିଥିବା ବେଳେ ସ୍ଥାନୀୟ ପାଟ୍ରୋଲିଂ ଭ୍ୟାନ୍ ଗାଡ଼ିକୁ ଠାବ କରିଥିଲା। ନମ୍ବର ପ୍ଲେଟରେ ମାଟି ବୋଳା ଯାଇଥିବା ବେଳେ ପୁଲିସ୍ ସନ୍ଦେହ କରି କଣ୍ଟୋଲ୍ ରୁମ୍କୁ ସୂଚନା ଦେଇଥିଲା। ଉକ୍ତ ଗାଡ଼ିଟି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରି ଥାନାକୁ ଆଣିଛି। ଆଜି ଏକ ସାଇଣ୍ଟିଫିକ୍ ଦଳ ଥାନାରେ ପହଞ୍ଚି ଆଙ୍ଗୁଠି ଚିହ୍ନ ଓ ଅନ୍ୟ ତଥ୍ୟ ସଂଗ୍ରହ କରି ତଦନ୍ତ ଚଲାଇଛି। ଗତ ୨୦ ଦିନ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଅଞ୍ଚଳରୁ ମୋଟ ୩ଟି କାର୍ ଚୋରିହୋଇଛି। ଚୋରିର ଶିକାର ହୋଇଥିବା ବ୍ୟକ୍ତିମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଭିତ୍ତିକରି ପୁଲିସ୍ ମାତ୍ର ଗୋଟିଏ ଗାଡ଼ିକୁ ଆଜି ଜବତ କରିଥିବା ବେଳେ ଅନ୍ୟ ଦୁଇଟି ଗାଡ଼ି ଓ ଚୋରଙ୍କ ପତ୍ତା ମିଳିନାହିଁ।