ବିପର୍ଯ୍ୟୟ ଶିକ୍ଷା ଦେବ ଓଡ଼ିଶା

0

ଭୁବନେଶ୍ୱର: ଦୈବୀଦୁର୍ବିପାକ ଓ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ନମୁନା ରାଜ୍ୟରେ ପରିଗଣିତ ହୋଇଛି। ଯାହାକୁ ନେଇ ବିଶ୍ବସ୍ତରରେ ପ୍ରଶଂସା ମିଳୁଥିବାବେଳେ ନିକଟରେ ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଓଡ଼ିଶାକୁ ବିପର୍ଯ୍ୟୟ ଶିକ୍ଷା ଦେବାପାଇଁ ମନୋନୀତ କରାଯାଇଛି। ଏହାକୁ ନେଇ ଆସନ୍ତା ୨୯ରୁ ଗୋପବନ୍ଧୁ ଏକାଡେମୀରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ ଏହି ବିପର୍ଯ୍ୟୟ ମୁକାବିଲା କର୍ମଶାଳାରେ ଊପକୂଳବର୍ତ୍ତୀ ୯ଟି ରାଜ୍ୟ ତଥା – ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଲାକ୍ଷାଦ୍ବୀପ ଭଳି ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ଜିଲାପାଳ ଓ ବରି‌ଷ୍ଠ ଅଧିକାରୀ ଯୋଗଦେବେ। ଏହି ରାଜ୍ୟଗୁଡ଼ିକରୁ ୨୨ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆସି କେବଳ କର୍ମଶାଳାରୁ ତଥ୍ୟ ଆହରଣ କରିବେ ତାହା ନୁହେଁ କୋଣାର୍କର ରାମଚଣ୍ଡୀଠାରେ ବିପର୍ଯ୍ୟୟର ବାସ୍ତବିକ ଶିକ୍ଷା ଗ୍ରହଣ କରିବେ। ସେଠାରେ ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କୁ ପାଣିରେ ବୁଡ଼ି ଉଦ୍ଧାର କରିବା, ଯାନ୍ତ୍ରିକ ଡଙ୍ଗାର ବିଭିନ୍ନ କୌଶଳ ସହିତ ଗଛ କଟା, ରାସ୍ତା ସଫା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବାସ୍ତବିକ ଶିକ୍ଷା ପ୍ରଦାନ କରାଯିବାକୁ ରହିଛି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀ ଜ୍ଞାନ ଆହରଣ କରିବା ପରେ ସେଠାକାର ସରକାରଙ୍କୁ ପ୍ରସ୍ତାବ ଦେବେ। ରାଜ୍ୟ ସରକାରଙ୍କ ‘ଓସଡମା’ ପକ୍ଷରୁ ଏନେଇ ପ୍ରସ୍ତୁତ ପାଠ୍ୟଖସଡ଼ାକୁ ସୋମବାର ରାଜ୍ୟ ସରକାର ଅନୁମୋଦନ ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.

eleven − five =