ଘରକୁ ଡାକି ପଡ଼ୋଶୀ ଶିଶୁକୁ ହତ୍ୟା

0

ଆଜି ଅପରାହ୍ନରେ ଏକ ଶିଶୁପୁତ୍ରର ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଖଣ୍ଡଗିରି ରାଜୀବନଗର ସ୍ତବ୍ଧ ହୋଇଯାଇଥିଲା। ଜଣେ ମହିଳା ପଡ଼ୋଶୀ ଘରର ୪ ବର୍ଷର ପୁଅକୁ ତଣ୍ଟିଚିପି ହତ୍ୟା କରିବା ଘଟଣା ରାଜଧାନୀବାସୀଙ୍କୁ ହତଚକିତ କରିଥିଲା। ନିଜ ଚାରି ବର୍ଷର କୁନି ଝିଅ ସହ ଖେଳିବାକୁ ଘରକୁ ଡାକି ନେଇ ମହିଳା ଜଣଙ୍କ କାହିଁକି ଶିଶୁପୁତ୍ରକୁ ହତ୍ୟା କଲେ, ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଶିଶୁ ହେଲେ ଆଇଗିଣିଆ ରାଜୀବନଗରର ବାସିନ୍ଦା ସମୀର ପାତ୍ରଙ୍କ ୪ ବର୍ଷର ପୁଅ ସାଇରାମ ଓ ହତ୍ୟା ଅଭିଯୁକ୍ତ ହେଲେ ପଡ଼ୋଶୀ ସୁବାସ ପାରମାଣିକଙ୍କ ସ୍ତ୍ରୀ ତନୁଶ୍ରୀ(୪୦)। ହତ୍ୟାକାଣ୍ଡ ଭିଆଇବା ପରେ ତନୁଶ୍ରୀ ସଂଜ୍ଞାହୀନ ହୋଇପଡ଼ିଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ଚାଲିଚଳଣ ଓ ଆଚାର ବ୍ୟବହାରକୁ ନେଇ ଅନେକ ସନ୍ଦେହ ପ୍ରକାଶ କରିଛନ୍ତି। ‌ଖଣ୍ଡଗିରି ପୁଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍ ଜାରି ରଖିଛି।

ସବୁଦିନ ଭଳି ଆଜି ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ତନୁଶ୍ରୀ ତାଙ୍କ ଟିକି ଝିଅ ସହ ଖେଳିବାକୁ ସାଇରାମକୁ ତାଙ୍କ ଘରକୁ ଡାକି ନେଇଥିଲେ। ୧୨ଟା ବାଜିବା ପରେ ମଧ୍ୟ ସାଇରାମ ଘରକୁ ନ ଫେରିବାରୁ ଖାଇବା ପାଇଁ ତାଙ୍କ ମା’ ଦୀପ୍ତିରାଣୀ ବଡ଼ ପୁଅ ଓମ୍‌(୧୧)କୁ ତନୁଶ୍ରୀଙ୍କ ଘରକୁ ପଠାଇଥିଲେ। ବଡ଼ ଭାଇ ଓମ୍‌ ସାଇରାମକୁ ଘରକୁ ଆଣିବା ପାଇଁ ତନୁଶ୍ରୀଙ୍କ ଘରେ ପଶିବା ପରେ ଚିତ୍କାର କରି ଉଠିଥିଲା। ସାଇରାମର ନିସ୍ତେଜ ଶରୀର ତଳେ ପଡ଼ିଥିଲା, ଜିଭ ବାହାରି ଆସିଥିଲା ଓ ପାଟିରୁ ରକ୍ତ ବୋହୁଥିଲା। ବେକରେ ଏକ ଚୁନ୍‌ରି ଗୁଡ଼ାଇ ହୋଇଥିବା ଅବସ୍ଥାରେ ଲାଗି ରହିଥିଲା। ତନୁଶ୍ରୀ ଖଟରେ ବେହୋସ୍ ହୋଇ ପଡ଼ିଥିଲେ। କିନ୍ତୁ ତନୁଶ୍ରୀଙ୍କ କୁନି ଝିଅଟି ମୋବାଇଲ୍‌ରେ ଖେଳୁଥିଲା। ଓମ୍‌ ସାନ ଭାଇ ସାଇରାମର ଏଭଳି ଅବସ୍ଥା ଦେଖି ଚିତ୍କାର କରି ଘରୁ ବାହାରି ଆସି ମା’ ଦୀପ୍ତିରାଣୀଙ୍କୁ ଡାକ ପକାଇଥିଲା। ଓମ୍‌ ପାଟି ଶୁଣି ଦୀପ୍ତିରାଣୀ ଓ ପାଖ ପଡ଼ୋଶୀ ଲୋକମାନେ ସେଠାକୁ ଧାଇଁ ଆସିଥିଲେ। ଏତେ କୋଳାହଳ ପରେ ବି ତନୁଶ୍ରୀ ସେମିତି ଖଟରେ ପଡ଼ି ରହିଥିଲେ। ତୁରନ୍ତ ଲୋକମାନେ ସାଇକୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥି‌ଲେ। କିଛି ସମୟ ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟ ପକ୍ଷରେ ଘଟଣା ବାବଦରେ ଖବର ପାଇ ତନୁଶ୍ରୀଙ୍କ ସ୍ବାମୀ ସୁବାସ ଘରକୁ ଫେରି ତାଙ୍କୁ ଏମ୍‌ସ ନେଇଥିଲେ।ମୃତ ସାଇରାମର ବାପା ସମୀରଙ୍କ କହିବା କଥା ଅଭିଯୁକ୍ତ ତନୁଶ୍ରୀଙ୍କ ପରିବାର ସହ ତାଙ୍କ ପରିବାରର କୌଣସି ବିବାଦ ନଥିଲା। ଏମ୍‌ସ ପାଥୋଲାବରେ ଟେକ୍‌ନିସିଆନ୍‌ଭାବେ କାମ କରୁଥିବା ତନୁଶ୍ରୀଙ୍କ ସ୍ବାମୀ ସୁବାସ ପ୍ରାୟ ୩ ବର୍ଷ ହେଲା ଭଡ଼ାରେ ରହୁଥିଲେ। ନିଜ ଟିକି ଝିଅଟି ସହ ଖେଳିବା ପାଇଁ ତନୁଶ୍ରୀ ବହୁ ସମୟରେ ଓମ୍‌ ଓ ସାଇରାମକୁ ଘରକୁ ଡାକି ନେଉଥି‌ଲେ। ତେଣୁ ଆଜି କେଉଁ ପରିସ୍ଥିତିରେ ସେ ଏହି କାଣ୍ଡ ଘଟାଇଲେ ବୋଲି ସେ ଭାବି ପାରୁନାହାଁନ୍ତି। ତନୁଶ୍ରୀ ନିଜ ଚୁନ୍‌ରିରେ ସାଇରାମର ବେକକୁ ବାନ୍ଧି ଟାଣି ଦେଇଥିବା ନିଶ୍ଚିତ ବୋଲି ସମୀର କହିଛନ୍ତି। ତନୁଶ୍ରୀଙ୍କ ସ୍ବାମୀ ସୁବାସ ଏହି ମାମଲାରେ କିଛି କହି ପାରୁନାହାନ୍ତି। ତନୁଶ୍ରୀ ଏଭଳି କାଣ୍ଡ ଘଟାଇଥିବା ନିଶ୍ଚିତ ହୋଇଥିଲେ ହେଁ ଘଟଣା ପଛରେ କି କାରଣ ରହିଛି, ସେ ବୁଝିପାରୁନଥିବା କହିଛନ୍ତି। ତାଙ୍କ ସ୍ତ୍ରୀ ବେକରେ ବି ଏକ ଚୁନ୍‌ରି ଗୁଡ଼ା ହୋଇଥିଲା ଓ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୁବାସ ସନ୍ଦେହ କରିଛନ୍ତି।

ପୁଲିସ ସୂଚନାନୁସାରେ ତନୁଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ କି ନା, ତାହା ସ୍ପଷ୍ଟ ହୋଇନାହିଁ। କେବଳ ସଂଜ୍ଞାହୀନ ହୋଇପଡ଼ିଥିବା ଜଣାପଡ଼ିଛି। ଶିଶୁ ହତ୍ୟା କରିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି। ତେଣୁ ତାଙ୍କୁ ପଚରାଉଚରା କରିବା ପରେ ପ୍ରକୃତ କଥା ଜଣାପଡ଼ିବ। ସେହିଭଳି ହତ୍ୟାକାଣ୍ଡ ପଛରେ ଥିବା କାରଣ ଏବେ ବି ରହସ୍ୟ ଭିତରେ ବୋଲି ପୁଲିସ କହିଛି। ଅଧିକ ତଦନ୍ତର ଆବଶ୍ୟକତା ରହିଛି ଓ ସେହି ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି।

ତନୁଶ୍ରୀ କ’ଣ ସତରେ ସାଇକୋ!

ହତ୍ୟା ଅଭିଯୁକ୍ତ ତନୁଶ୍ରୀ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ‌ବୋଲି କୁହାଯାଉଛି। ୪ ବର୍ଷ ପୂର୍ବେ ନିଜ ପୁଅର ମୃତ୍ୟୁ ପରେ ତାଙ୍କଠାରେ ସାମାନ୍ୟ ମାନସିକ ବିକୃତି ହୋଇଥିବା କୁହାଯାଉଛି। ତେଣୁ ହଠାତ୍ କୌଣସି କାରଣରୁ ରାଗରେ ସେ ସାଇରାମକୁ ହତ୍ୟା କରିଥିବେ ବୋଲି ଅନୁମାନ କରାଯାଉଛି। ସାଇରାମ ମରିଯିବା ପରେ ସେ ସ୍ବାଭାବିକ ଅବସ୍ଥାକୁ ଫେରିଥିବେ ଓ ଅଭାବନୀୟ କାଣ୍ଡ ଘଟାଇଥିବାରୁ ସଂଜ୍ଞାହୀନ ହୋଇପଡ଼ିଥିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ବହୁ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରିପାରିନାହାନ୍ତି। ଗତ ୩ ବର୍ଷ ଭିତରେ ତନୁଶ୍ରୀଙ୍କଠାରେ କୌଣସି ଅସ୍ବାଭାବିକ ଲକ୍ଷଣ ଦେଖିନଥିବା ବହୁ ଲୋକ କହିଛନ୍ତି। ସେ ସ୍କୁଟି ଚଳାଇ ବଜାର କରନ୍ତି ଓ ସମସ୍ତଙ୍କ ସହ ମିଶି ଚଳୁଥିଲେ। ସମସ୍ତଙ୍କ ସହ ଭଲ କଥାବାର୍ତ୍ତା କରୁଥିବା ନଗର ବାସିନ୍ଦାମାନେ କହିଛନ୍ତି। ତେଣୁ ମାନସିକ ବିକାର ନୁହେଁ, ଅନ୍ୟ କିଛି କାରଣ ପାଇଁ ତନୁଶ୍ରୀ ଏହି କାଣ୍ଡ ଭିଆଇଛନ୍ତି ବୋଲି ସେମାନେ ବିହିତ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.

two + five =