ଦେଶରେ ୩ ମାସ ଭିତରେ ପ୍ରସ୍ତୁତ ହେବ ୫୦ ମଡୁଲାର ହସ୍ପିଟାଲ୍‌

0

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଶୁ ମୁକାବିଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ଦୁଇରୁ ତିନି ମାସ ଭିତରେ ୫୦ଟି ଅଭିନବ ମଡୁଲାର ଡାକ୍ତରଖାନା ପ୍ରସ୍ତୁତ କରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସଂଚାଳନ ଭିତ୍ତିଭୂମି ଦୃଷ୍ଟିରୁ ଏହି ମଡୁଲାର ଡାକ୍ତରଖାନାଗୁଡ଼ିକ କୌଣସି ସ୍ଥାନରେ ପୂର୍ବରୁ ରହିଥିବା ଅନ୍ୟ ଡାକ୍ତରଖାନାକୁ ଲାଗି ସ୍ଥାପିତ ହେବ । ପ୍ରତି ଡାକ୍ତରଖାନା ପିଛା ପ୍ରାୟ ୩ କୋଟି ବ୍ୟୟ ଅଟକଳ କରାଯାଇଥିବା ବେଲେ ପ୍ରତିଟି ଡାକ୍ତରଖାନାରେ ଉତ୍ସର୍ଗୀକୃତ ଆଇସିୟୁ ସୁବିଧା ରହିବ ବୋଲି ଜଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାପର୍ଶଦାତା କେ ବିଜୟ ରାଘବନ୍‌ଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଥମେ ଏହାର ପରିକଳ୍ପନା କରାଯାଇଥିବା ବେଳେ ଏହା ମୁଖ୍ୟତଃ ରାଜ୍ୟର ପ୍ରମୁଖ ସରକାରୀ ଡାକ୍ତରଖାନା ଓ ଲୋକପ୍ରିୟ ଡାକ୍ତରଖାନା ନିକଟରେ ସ୍ଥାପନ କରାଯିବ । ଯେଉଁ ସରକାରୀ ଡାକ୍ତରଖାନାରେ ବିଦ୍ୟୁତ୍‌ ଓ ଜଳଯୋଗାଣ ସାଙ୍ଗକୁ ଅମ୍ଳଜାନ ଯୋଗାଣ ପରି ମୌଳିକ ସୁବିଧା ଉପଲବ୍‌ଧ ଥିବ ସେଠାରେ ଏପରି ୨୦, ୫୦ ଓ ୧୦୦ ଶଯ୍ୟା ବିଶିଷ୍ଟ ମଡୁଲାର ଡାକ୍ତରଖାନା ସ୍ଥାପନ କରାଯାଇପାରିବ ବୋଲି କୁହାଯାଇଛି । ବିଶେଷ କରି ଦେଶର ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟସେବା ଜନିତ ଭିତ୍ତିଭୂମି ଶୂନ୍ୟସ୍ଥାନକୁ ଏହା ପୂରଣ କରିବ ବୋଲି ଆଶା କରାଯାଉଛି । ଏପରି ୧୦୦ ଶଯ୍ୟା ବିଶିଷ୍ଟ ପ୍ରଥମ ଦଫା ମଡୁଲାର ଡାକ୍ତରଖାନା ପ୍ରଥମେ ଛତିଶଗଡ଼ର ବିଳାସପୁର, ମହାରାଷ୍ଟ୍ରର ଅମରାବତୀ, ପୁଣେ ଓ ଜାଁଳା ଓ ପଞ୍ଜାବର ମୋହାଲିରେ ସ୍ଥାପିତ ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.

seventeen + 16 =