ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବାମଦଳ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀ ଗୁରୁବାର ଏହା ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ,’ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମ ଦଳ ସହ ନିର୍ବାଚନ ମେଣ୍ଟକୁ କଂଗ୍ରେସ ହାଇକମାଣ୍ଡ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି’ । ପୂର୍ବରୁ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ କହିଥିଲେ ଯେ ପଶ୍ଚିମବଙ୍ଗରେ ଉଭୟ ମମତା ବାନାର୍ଜୀ ଏବଂ ବିଜେପିକୁ ରୋକିବା ପାଇଁ ବାମଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଉଚିତ୍। ଆଉ ଆଜି କଂଗ୍ରେସ ହାଇକମାଣ୍ଡ ବାମ ଦଳ ସହ ନିର୍ବାଚନ ମେଣ୍ଟକୁ ଆନୁଷ୍ଠାନିକ ଅନୁମୋଦନ ଦେଇଛନ୍ତି।
ସୂଚନା ଥାଉ କି ୨୦୧୬ ରେ ବାମଦଳ ଏବଂ କଂଗ୍ରେସ ଏକାଠି ବିଧାନସଭା ନିର୍ବାଚନ ଲଢ଼ିଥିଲେ | ସେତେବେଳେ ମଧ୍ୟ ଅଧୀର ରଂଜନ ଚୌଧୁରୀ ଦଳର ସଭାପତି ଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବହୁ ଉଦ୍ୟମ ସତ୍ତ୍ୱେ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରିନଥିଲା | ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ନିର୍ବାଚନରେ କିଭଳି ଜିତିହେବ ସେଥିପାଇଁ ବିଜେପି ଜୋରସୋରରେ ଲାଗିପଡ଼ିଛି | ୨୦୧୯ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି। ବିଜେପି, ୨୦୧୯ରେ ୪୨ ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଜିତିଥିଲା ।