କନ୍ଧମାଳରେ ୩-୪ ଦିନ ହେଲା ଶୀତ ଲହରୀ ଜାରି ରହିଛି। ବିଶେଷତଃ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିଠାରୁ ଫୁଲବାଣୀରେ ଅଧିକ ଶୀତ ରହୁଛି। ଆଜି ଫୁଲବାଣୀର ତାପାମାତ୍ରା ୪.୫ ଡିଗ୍ରି ରହିଛି। ହେଲେ ଦାରିଙ୍ଗବାଡିରେ ଶୀତ କମିଛି। ଗତକାଲି ୫.୫ ଥିବା ବେଳେ ଆଜି ପାରଦ ଉପରକୁ ଉଠି ଦାରିଙ୍ଗବାଡିର ତାପମାତ୍ରା ରହିଛି ୮ ଡିଗ୍ରି।
ଜିଲ୍ଲାର ଅନ୍ୟ ବ୍ଳକମାନଙ୍କରେ ତାପମାତ୍ରା ୫ରୁ ୮ ଡିଗ୍ରି ମଧ୍ୟରେ ରହିଛି। କହିବାକୁ ଗଲେ ଏବେ ସମଗ୍ର କନ୍ଧମାଳ ଜାଡରେ ଥରୁଛି। ଲୋକମାନେ ଶୀତରୁ ମଜା ନେଉଛନ୍ତି। ଆଉ ବାହାରୁ ପର୍ଯ୍ୟଟକଙ୍କ ଆଗମନ ପୂର୍ବ ଅପେକ୍ଷା ବଢିଛି। ଶୀତ ଯୋଗୁ କନ୍ଧମାଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଏହା ସାଙ୍ଗକୁ କୁହୁଡି ଓ କାକର ପଡୁଛି। ରାସ୍ତାରେ ଚାଲିବା ସମୟରେ ବାଟ ଦିଶୁ ନାହି। ସତେ ଯେମିତି ସବୁଠି କାଶ୍ମୀର ଭ୍ରମ ସୃଷ୍ଟି କରୁଛି।
ଶୀତ ଲହରୀ ଲାଗି ରହିଥିଲେ ବି ଆଜି କେଉଁଠି ହେଲେ ତୁଷାରପତ ପଡି ନଥିବା ଜଣା ପଡିଛି। ଶୀତରୁ ରକ୍ଷା ପାଇଁ ଲୋକମାନେ ନିଆଁକୁ ଭରସା କରୁଛନ୍ତି। କେଉଁଠି କାଠ ଗଣ୍ଡି ଲଗାଇ ପୁଁ ହେଉଛନ୍ତି ତ ଆଉ କେଉଁଠି ଟାୟାର ଜାଳିବାକୁ ପଡୁଥିବା ଦେଖିବାକୁ ମିଳୁଛି। କେବଳ ମଣିଷ ନୁହେଁ। ଗୃହପାଳିତ ପଶୁ ପକ୍ଷୀ ବି ଶୀତ ପ୍ରଭାବରେ ପ୍ରଭାବିତ ହେଉଛନ୍ତି। ଲୋକମାନେ ନିଆଁ ପୁଁ ହେଉଥିବା ସ୍ଥାନକୁ ଗୃହପାଳିତ ଗାଈ, କୁକୁର ବି ପଳାଇ ଆସୁଥିବା ପରିଲକ୍ଷିତ ହେଉଛି।