କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ତୁଳନାରେ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ଇଉରୋୀୟ ଦେଶ ଗୁଡିକରେ ମଧ୍ୟ ସଂକ୍ରମଣର ଅଧିକ ପ୍ରଭାବ ଦେଖାଦେଇଛି। ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରିବ ବୋଲି କହିଛନ୍ତି।
ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣର ହାରେେ ହ୍ରାସ ଘଟୁଛି। ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି। ଆଣ୍ଟି ଭାଇରାଲ ଟ୍ୟାବଲେଟ ଫାଭିପିରାଭିର୍ ଭଲ କାମ ଦେଉଛି ଓ ଏହାର ବ୍ୟବହାର ରୋଗୀଙ୍କ ଦ୍ଵାରା ଗ୍ରହଣୀୟ ହେଉଛି ବୋଲି ସେ କହିଥିଲେ। ସେହିପରି ଟେଷ୍ଟ ରିପୋର୍ଟ ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି। ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି। ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି। କୋଭିଡ ଡାକ୍ତରଖାନା ଶଯ୍ୟା, ଆଇସିୟୁ ଓ ଭେଣ୍ଟିଲେଟର ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି। ବାର୍ତ୍ତମାନ ୨୦ ରୁ ୪୦ ପ୍ରତିଶତ ଆଇସିୟୁ ଖାଲି ରହୁଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ ବୋଲି ପ୍ରକାଶ କରି ଭୁବନେଶ୍ୱରରେ ଆଜି ଠାରୁ ସେରୋ ସର୍ଭେ ଆରମ୍ଭ କରାଗଲା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।