ଓଡ଼ିଶା ସରକାର ଆଜି ଖଣି ଓ ଖଣିଜ କ୍ଷେତ୍ରରେ ୨୧୭୨ କୋଟି ଟଙ୍କା ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏସବୁ ଶିଳ୍ପରେ ପ୍ରାୟ ୧୧୨୨ ଜଣ ନିଯୁକ୍ତି ପାଇବେ । ଏହି ୪ଟି ପ୍ରକଳ୍ପ ହେଲେ ରୁଙ୍ଗଟା ମାଇନ୍ସର ୩୪ ନିୟୁତ ଟନ କ୍ଷମତା ବିଶିଷ୍ଟ ବେନିଫିଏସନ ପ୍ଲାଣ୍ଟ , ଏକ ସ୍ଲରି ପାଇପଲାଇନ, ଶ୍ୟାମ ମେଟାଲିକ୍ସର ପେଲେଣ୍ଟ ପ୍ଲାଣ୍ଟର ସଂପ୍ରସାରଣ, େଓ୍ଵଲମ୍ୟାନ ଷ୍ଟିଲର ୧.୮ ନିୟୁତ ଟନ କ୍ଷମତା ବିଶିଷ୍ଟ ବେନିଫିସିଏସନ ପ୍ଲାଣ୍ଟ ।ଶୁକ୍ରବାରଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ୯୩ ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏ ସବୁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।
ବଣାଇଠାରେ ପ୍ରତିଷ୍ଠା ହେବାକୁ ଥିବା ନିଜର ବେନିଫିସିଏସନ ପ୍ଲାଣ୍ଟ ପ୍ରକଳ୍ପରେ ରୁଙ୍ଗଟା ୯୭୫ କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୨୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କମ୍ପାନି ନିଜର ଭୂତଳ ସ୍ଲରି ପାଇପଲାଇନ ପ୍ରକଳ୍ପରେ ୯୫୧ କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୭୨ଜଣ ଲୋକଙ୍କୁ ନିଯୁକ୍ତି ମିଳିବ । ଶ୍ୟାମ ମେଟାଲିକ୍ସ ନିଜର ପେଲେଟ ପ୍ଲାଣ୍ଟ ସଂପ୍ରସାରଣ ପ୍ରକଳ୍ପରେ ୭୬ କୋଟି ୯୨ ଲକ୍ଷ ଟଙ୍କା ନିବେଶ କରିବ । ସେହିପରି େଓଲମ୍ୟାନ ଷ୍ଟିଲ୍ସ ନିଜ ପ୍ରକଳ୍ପରେ ୧୭୦ କୋଟି ନିବେଶ କରିବ ।