ବିଶ୍ୱ ବର୍ତ୍ତମାନ କରୋନାଭାଇରସ୍ ମହାମାରୀ ସହ ସଂଗ୍ରାମ କରୁଛି, ଯାହାର ଉତ୍ପତ୍ତି ଉତ୍ସ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) କହିଛି ଯେ, କରୋନାଭାଇରସ୍ ମହାମାରୀର ଉତ୍ପତ୍ତିର ଉତ୍ସ ଜଣା ପଡିଗଲେ ହିଁ ଏହାକୁ ହରାଇବା ସହଜ ହେବ | ତେବେ ସାରା ବିଶ୍ୱ ଏବେ କରୋନାକୁ ହରାଇବା ପାଇଁ ବିଭିନ ଟୀକା ଉପରେ ଗବେଷଣା କରୁଥିବା ବେଳେ ଏବେ ଚୀନରେ ଏକ ନୂତନ ଭୂତାଣୁ ଆବିଷ୍କାର ହେବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଦେଇଛି।
ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ମଧ୍ୟ ମହାମାରୀ ରୂପ ନେବାର ସମ୍ଭାବନା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି | ଘୁଷୁରିମାନଙ୍କ ମଧ୍ୟରେ ଏହି ଭୂତାଣୁ ଦେଖାଯାଉଥିବା ବେଳେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିପାରେ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି । ଏହା କରୋନାଭାଇରସ୍ ମହାମାରୀ ଭଳି ମଣିଷରୁ ମଣିଷକୁ ସଂକ୍ରମିତ ହେବା ସହ ବିସ୍ତାର ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି |ଆମେରିକାର ଜର୍ନାଲ୍ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏକ ଅନୁସନ୍ଧାନ ପେପର ଅନୁଯାୟୀ, ଏହି ନୂତନ ଭୂତାଣୁ ୨୦୦୯ ସମୟରେ ଚିହ୍ନଟ ହୋଇଥିବା ସ୍ୱାଇନ୍ ଫ୍ଲୁ ଭୂତାଣୁ ସହିତ ସମାନ। ସେହି ଭୂତାଣୁର ନାମ ଏ/ଏଚ୧ଏନ୧ପିଜିଏମ୦୯ଥିଲା | ଏହାକୁ ଏବେ ଜି୪-ଇଏ ଏଚ୧ଏନ୧ ଭାବରେ ନାମିତ କରାଯାଇଛି | କରୋନା ଭାଇରସ ବିଶ୍ୱରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କେତେ ତାହା ପ୍ରମାଣ କରି ସାରିଛି | ଏଭଳି ସ୍ଥିତିରେ ଆଉ ଏକ ନୂଆ ଭାଇରସ ସହ ଲଢ଼ିବା ପାଇଁ ଲୋକେ ସକ୍ଷମ ନୁହନ୍ତି |
ଘୁଷୁରିରେ ପ୍ରଚଳିତ ଜି୪-ଇଏ ଏଚ୧ଏନ୧ ଭୂତାଣୁକୁ ନିୟନ୍ତ୍ରଣ କରିବା ଏବଂ ମାନବ ଜନସଂଖ୍ୟାରେ, ବିଶେଷ କରି ଘୁଷୁରି ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି। ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଯଦିଓ ଏହି ଭୂତାଣୁ ମାନବ ସ୍ୱାସ୍ଥ୍ୟ ପାଇଁ ତୁରନ୍ତ ବିପଦ ସୃଷ୍ଟି କରିବ ନାହିଁ କିନ୍ତୁ ଏହା ଶ୍ୱାସକ୍ରିୟା ଜରିଆରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରିବ। ଚାଇନାରେ ଘୁଷୁରି ଶିଳ୍ପାଞ୍ଚଳରେ ସମ୍ପ୍ରତି ସଂକ୍ରମଣର ପ୍ରମାଣ ପାଇଥିବାରୁ ଆମର ଭୟ ଭୁଲ ନୁହେଁ। ଏ ନେଇ ଦୃଷ୍ଟି ଦେବାକୁ ହବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି |