ଦୃଷ୍ଟିହୀନ, ହେଲେ ଦୁର୍ବଳ ନୁହନ୍ତି

0

କିଏ ପିଲାଟି ଦିନୁ ବାପ ଛେଉଣ୍ଡ ତ, ଆଉ କାହା ବାପା ବହୁ ବର୍ଷ ହେବ ଘର ଛାଡ଼ି ଚାଲିଯାଇଛନ୍ତି। ପୁଣି କାହାର ବୃଦ୍ଧା ମା’ ଦିନ ମଜୁରିଆ। ବହୁ ଦୁଃଖକଷ୍ଟରେ ବଢ଼ିଥିବା ଓଡ଼ିଶାର ଏହି ଦୃଷ୍ଟିହୀନ କ୍ରିକେଟରମାନେ କିନ୍ତୁ ରାଜ୍ୟ ପାଇଁ ଆଣିଛନ୍ତି ଅଜସ୍ର ଯଶ ଓ ଖ୍ୟା‌ତି। ଇନ୍ଦ୍ରଧନୁର ସପ୍ତରଙ୍ଗକୁ ଦେଖି ନପାରିବାର ଦୁଃଖରେ ସେମାନେ ଭାଙ୍ଗି ପଡ଼ିନାହାନ୍ତି। ବରଂ ନିରନ୍ତର ଅଧ୍ୟବସାୟ, ଅସାଧାରଣ ଏକାଗ୍ରତା ଓ ପ୍ରଚଣ୍ଡ ପ୍ରତିଭା ବଳରେ ଜୀବନରେ ବ୍ୟାପୀଥିବା ଘନ ଅନ୍ଧକାରକୁ ସଫଳତାର ସହ ଦୂର କରିଛନ୍ତି। ରାଜ୍ୟ ଓ ଦେଶ ସୀମା ଟପି ଅନ୍ତର୍ଜାତୀୟସ୍ତରୀୟ କ୍ରିକେଟର ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ବିଶ୍ବକପ୍ ଜିତିବାର ଅନନ୍ୟ ସଫଳତା ବି ଅର୍ଜନ କରିଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ଜଣେ କିମ୍ବା ଦୁଇ ଜଣ ନୁହନ୍ତି, ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ରେ ଏଭଳି ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଅଧଡଜନରେ ପହଞ୍ଚିଲାଣି। ଅଜଣା, ଅପରିଚିତ ପୂରପଲ୍ଲୀରୁ ଆସି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିଥିବା ଏହି ଦୃଷ୍ଟିବାଧକ କ୍ରିକେଟରମାନେ ପ୍ରମାଣ କରିଦେଇଛନ୍ତି ଯେ ସେମାନଙ୍କ ପାଖରେ ହୁଏତ ଦୃଷ୍ଟିଶକ୍ତି ନାହିଁ, ହେଲେ ସେମାନେ ଆଦୌ ଦୁର୍ବଳ ନୁହନ୍ତି।

ମହମ୍ମଦ ଜାଫର ଇକବାଲ

ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ କଥା ପଡ଼ିଲେ ଆପେ ଆପେ ମହମ୍ମଦ ଜାଫର ଇକବାଲଙ୍କ ନାଁ ମନକୁ ଚାଲିଆସେ। ବ୍ୟକ୍ତିଗତ ଭାବେ ଚାରିଟି ବିଶ୍ବକପ୍ (ଦୁଇଟି ଟ୍ବେଣ୍ଟି-୨୦, ଦୁଇଟି ଦିନିକିଆ) ଜିତିବାଠାରୁ ଆରମ୍ଭ କରି ଓଡ଼ିଶାରେ ଦୃଷ୍ଟିହୀନ କ୍ରିକେଟ୍‌ର ପ୍ରଚାର ପ୍ରସାର ପର୍ଯ୍ୟନ୍ତ, ସବୁଥିରେ ଜାଫରଙ୍କ ସଫଳତା ଓ ଭୂମିକା ଅତୁଳନୀୟ। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦାସ୍ଥିତ ଆଜାଦନଗର ବାସିନ୍ଦା ଜାଫର କେବଳ ଜଣେ ସଫଳ ଦୃଷ୍ଟିହୀନ କ୍ରିକେଟର ନୁହନ୍ତି, ସେ ମଧ୍ୟ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ ବା ‘କ୍ୟାଭି’ର ସଭାପତି ଅଛନ୍ତି। ନିଜ ପ୍ରଚେଷ୍ଟା ଓ ପ୍ରତିଭା ବଳରେ ସରକାରୀ ଚାକିରି ହାସଲ କରି ଆତ୍ମନିର୍ଭରଶୀଳ ହୋଇପାରିଥିବା ଜାଫର ନିଜ ଜିରୋରୁ ହିରୋ କାହାଣୀ ଲାଗି ସମଗ୍ର ପାରାଆଥଲେଟ୍ ଜଗତ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ପ୍ରଚେଷ୍ଟା ବଳରେ ହିଁ ଓଡ଼ିଶାରେ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଦଳ ଗଠିତ ହୋଇପାରିଛି। ଆଉ ଓଡ଼ିଶା ସଂପ୍ରତି ଏହି ବର୍ଗର ଜାତୀୟ ବିଜେତା। ତଥାପି ଆହୁରି ଅନେକ କାମ କରିବା ବାକି ରହିଛି ବୋଲି ଜାଫର ମତ ଦିଅନ୍ତି। ଓଡ଼ିଶାରେ ଦୃଷ୍ଟିହୀନ କ୍ରିକେଟ୍‌ ଆଜି ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ରାଜ୍ୟ ଦଳର ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ ଓ ‘କ୍ୟାଭି’ର ବରିଷ୍ଠ କର୍ମକର୍ତ୍ତା ତଥା ପ୍ରଶାସକ ସନ୍ନ୍ୟାସ କୁମାର ବେ‌ହେରା ତଥା ଅନ୍ୟ ଅଧିକାରୀ ଓ କର୍ମକର୍ତ୍ତାଙ୍କର ମଧ୍ୟ ବଳିଷ୍ଠ ଯୋଗଦାନ ରହିଛି ବୋଲି ଜାଫର କୁହନ୍ତି। କରୋନା ପାଇଁ ଗତ ତିନି ମାସ ଧରି ଅଭ୍ୟାସ କରିପାରିନଥିବା ଜାଫର ଏବେ ପତ୍ନୀ ଓ ଏକମାତ୍ର ପୁଅ ସହ ସମୟ କଟାଉଛନ୍ତି। ତେବେ କରୋନା ନିୟମ କୋହଳ ହେବା ପରେ ନିଜ ବୃତ୍ତିଗତ କାର୍ଯ୍ୟରେ ଯୋଗଦେବାକୁ ଭୁଲି ନାହାନ୍ତି। ତେବେ ତାଲାବନ୍ଦ ତାଙ୍କୁ ଅନେକ କିଛି ଶିଖାଇଛି, ଲଢ଼ିବାର ଆତ୍ମବିଶ୍ବାସକୁ ବଢ଼ାଇଛି। ଆଗକୁ କ୍ରିକେଟ୍ ପଡ଼ିଆରେ ଏହା ତାଙ୍କ ପାଇଁ ଯଥେଷ୍ଟ ସହାୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜାଫର। ‘କ୍ୟାଭି’ ଗଠନ ହେବାର ୮ ବର୍ଷ ମଧ୍ୟରେ ଓଡ଼ିଶାରୁ ୬ ଜଣ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ସୃଷ୍ଟି ହେବା ନେଇ ଜାଫର କିନ୍ତୁ ବେଶ୍ ଗର୍ବିତ। ଆଗାମୀ ଦିନରେ ଓଡ଼ିଶାରୁ ମଧ୍ୟ ଏକାଧିକ ଅନ୍ତର୍ଜାତୀୟ ମହିଳା ଦୃଷ୍ଟିହୀନ କ୍ରିକେଟର ସୃଷ୍ଟି ହେବେ ବୋଲି ଜାଫର ଦୃଢ଼ତାର ସହ କହିଛନ୍ତି। ‘‘ଉତ୍ସର୍ଗୀକୃତ ପଡ଼ିଆର ଅଭାବ ପାଇଁ ଆମେ ବାର ଦୁଆର ତେର ପିଣ୍ଡା ହେଉଛି। ବୁଲି ବୁଲି ବିଭିନ୍ନ ପଡ଼ିଆରେ ଖେଳୁଛୁ। ଗତ ଦୁଇ ବର୍ଷ ହେବ ଅବଶ୍ୟ ପାରାମାଉଣ୍ଟ ପଡ଼ିଆରେ ଅଭ୍ୟାସ କରୁଛୁ। ପ୍ରତି ଜିଲ୍ଲାରେ ମିନି ଷ୍ଟାଡିୟମ୍ ନିର୍ମାଣ ହେଉଥିଲା ବେଳେ ଆମ ପାଇଁ ମଧ୍ୟ କୌଣସି ସ୍ଥାନରେ ଏକ ସ୍ବତନ୍ତ୍ର ଖେଳ ପଡ଼ିଆ କରାଗଲେ ଓଡ଼ିଶାରୁ ଆହୁରି ଅନେକ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ସୃଷ୍ଟି ହୋ‌ଇ ପାରନ୍ତେ।’’ ବୋଲି ଜାଫର ‘ସମ୍ବାଦ’କୁ କହିଛନ୍ତି।

ସୁଖରାମ ମାଝୀ
ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଦୁନିଆର ଆଉ ଜଣେ ସଫଳ ନାୟକ ହେଲେ ସୁଖରାମ ମାଝି। ୨୦୧୭ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିଥିବା ସୁଖରାମ ମଧ୍ୟ ୨୦୧୬ରେ ପାକିସ୍ତାନକୁ ହରାଇ ବିଜେତା ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ୨୪ ବର୍ଷୀୟ ସୁଖରାମ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏବେସୁଦ୍ଧା ସେ ୨୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଲେଣି। କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ପଢ଼ୁଥିଲା ବେଳେ ଉପର ଶ୍ରେଣୀର ପିଲାଙ୍କୁ କ୍ରିକେଟ୍ ଖେଳୁଥିବାର ଦେଖି ଦିନେ ନା ଦିନେ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ଦେଖିଥିଲେ ସେ। ଯାହା ପରବର୍ତ୍ତୀ ସମୟରେ ପୂରଣ ହୋଇଥିଲା। ସୁଖରାମ ସଂପ୍ରତି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଇଂରାଜୀ ଭାଷାରେ ସ୍ନାତ୍ତୋକତ୍ତୋର ଶିକ୍ଷା ଲାଭ କରୁଛନ୍ତି। ଚାକିରିଟିଏ ପାଇଁ ଚେଷ୍ଟା ଚଳାଇଛନ୍ତି। ତେବେ ସାଧାରଣ କ୍ରିକେଟରଙ୍କ ଭଳି ଦୃଷ୍ଟିହୀନ କ୍ରିକେଟରଙ୍କୁ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥାରେ କର୍ମସଂସ୍ଥାନ ମିଳିବା ଉଚିତ ବୋଲି ମତ ରଖିଛନ୍ତି। କ୍ରିକେଟ୍ ସହ ସୁଖରାମ ମଧ୍ୟ ଦୌଡ଼କୁଦ ଦୁନିଆରେ ବେଶ୍ ସକ୍ରିୟ। ଏପରିକି ସେ ଏସୀୟ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। କୋରାପୁଟ ଜିଲ୍ଲାର ସୁକ୍ରିଗୁଡ଼ା ଗାଁରୁ ଆସିଥିବା ସୁଖରାମଙ୍କ ମା’ ବି ଦୃଷ୍ଟିହୀନ। ସେଥିପାଇଁ ଘର ଚଳାଇବା ବହୁତ କଷ୍ଟକର। ଅର୍ଥାଭାବ ସାଙ୍ଗକୁ ବୁଢ଼ି ମା’ଙ୍କ ବୋଝ ପାଇଁ ତୁରନ୍ତ କିଛି କର୍ମସଂସ୍ଥାନ ନମିଳିଲେ ପାଠ ପଢ଼ିବା ଜାରି ରଖିବା ସହଜ ହେବନି ବୋଲି ଦୁଃଖର ସହ କୁହନ୍ତି ସୁଖରାମ। ତାଲାବନ୍ଦ ବେଳେ କ୍ରିକେଟ୍ ଅଭ୍ୟାସ ବନ୍ଦଥିଲା। ତେବେ ରନିଂ ଭଳି ଶାରୀରିକ ଅଭ୍ୟାସ କରୁଥ‌ିଲେ। ଏବେ ସରକାର ଏଥିରେ କିଛିଟା କୋହଳ କରିଥିବାରୁ ଖୁବଶୀଘ୍ର ସେ ପୁଣି ଥରେ ପଡ଼ିଆକୁ ଓହ୍ଲାଇବେ ବୋଲି ଆତ୍ମବିଶ୍ବାସ ଭରା କଣ୍ଠରେ କହିଛନ୍ତି।

ପଙ୍କଜ ଭୂଏ
ପଙ୍କଜ ଭୂଏ ଦୁଇଟି ବିଶ୍ବକପ୍ ‌ଖେଳିଛନ୍ତି। ୩୦ ପାଖାପାଖି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ଭାରତର ଆଗାମୀ ଅନ୍ତର୍ଜାତୀୟ ଶୃଙ୍ଖଳା ପାଇଁ ମନୋନୀତ ହୋଇଥିଲେ। ହେଲେ କରୋନା ପାଇଁ ଏହି ଶୃଙ୍ଖଳା ଏବେ ସ୍ଥଗିତ ହୋଇଯାଇଛି। କରୋନା ତାଲାବନ୍ଦ ବେଳେ ଖାଲି ନବସି ଅଭିନବ ବିନ୍ଦ୍ରା ଏକାଡେମି ପକ୍ଷରୁ ଅନ୍‌ଲାଇନରେ ଦିଆଯାଉଥିବା ଶାରୀରିକ ପ୍ରଶିକ୍ଷଣକୁ ଅନୁସରଣ କରୁଛନ୍ତି। ତାଲାବନ୍ଦ ନିୟମରେ କୋହଳ ହୋଇଥିବାରୁ କ୍ରିକେଟ୍ ପଡ଼ିଆକୁ ଯାଇ ଅଭ୍ୟାସ କରିବାକୁ ଯୋଜନା ରଖିଛନ୍ତି। ସଂପ୍ରତି ସେ ଡାକ ବିଭାଗରେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ବର ପିଏମଜିରେ ପୋଷ୍ଟମ୍ୟାନ୍ ଭାବେ ‌ସେବା ଦେଉଛନ୍ତି। ବରଗଡ଼ ଜିଲ୍ଲା ଫୁଲପାଲ୍ଲୀର ଏହି ସୁଯୋଗ୍ୟ ସନ୍ତାନ ସଂପ୍ରତି ଭୁବନେଶ୍ବରରେ ରହି ନିଜ ସ୍ବପ୍ନକୁ ଅନୁସରଣ କରୁଛନ୍ତି। ପିତା ଜଣେ ଦିନ ମଜୁରିଆ ହୋଇଥିଲା ବେଳେ ଘରର ଆର୍ଥିକ ସ୍ଥିତି ମଧ୍ୟ ଆଦୌ ଭଲ ନାହିଁ। ଗତ କିଛି ମାସ ହେବ ଅଭ୍ୟାସ କରି ନଥିଲେ ମଧ୍ୟ ପଡ଼ିଆକୁ ଓହ୍ଲାଇ ନିଜ ସ୍ବାଭାବିକ ପ୍ରଦର୍ଶନ ଦେବାର ଆତ୍ମବିଶ୍ବାସ କିନ୍ତୁ ପଙ୍କଜଙ୍କର ଅଛି।

ଲିଙ୍ଗରାଜ ରାଉତରା
ଲିଙ୍ଗରାଜ ରାଉତରାଙ୍କ ଦୃଷ୍ଟିହୀନ କ୍ରିକେଟ୍‌କୁ ଆସିବାର କାହାଣୀ କିନ୍ତୁ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଅଲଗା। ଲିଙ୍ଗରାଜ ପିଲାବେଳୁ ଦୃଷ୍ଟିହୀନ ନଥିଲେ। ହେଲେ ଟେନିସ୍ ବଲ କ୍ରିକେଟ୍ ଖେଳୁଥିଲା ବେଳେ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ପାଇଁ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ମହମ୍ମଦ ଜାଫର ଇକବାଲଙ୍କଠାରୁ ପ୍ରେରଣା ନେଇ ବି-ଥ୍ରୀ ବର୍ଗରେ ସେ ଦୃଷ୍ଟିହୀନ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ଜାତୀୟ ସ୍ତରରେ ଭଲ କରିବା ପରେ ଶ୍ରୀଲଙ୍କା‌ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏବେସୁଦ୍ଧା ସେ ୧୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଲେଣି। ବଡ଼ ପରିବାରରେ ବଢ଼ିଥିବା ଲିଙ୍ଗରାଜଙ୍କ ମା’ ନାହାନ୍ତି। ସ୍ନାତକ ଶିକ୍ଷା ଲାଭ କରିଥିବା ଲିଙ୍ଗରାଜ ଏବେ ବେକାର। ଅନେକ ଚାକିରି ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ସାଧାରଣ କ୍ରିକେଟ୍ ଭଳି ଦୃଷ୍ଟିହୀନ କ୍ରିକେଟକୁ ମଧ୍ୟ ସ୍ବୀକୃତି ଓ ସମ୍ମାନ ଦେବା ଲାଗି ଅଲରାଉଣ୍ଡର ଭାବେ ଖେଳୁଥିବା ଲିଙ୍ଗରାଜ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। କରୋନା ତାଲାବନ୍ଦ ପାଇଁ ଅଭ୍ୟାସ କରିପାରୁ ନାହାନ୍ତି। ଖୁବଶୀଘ୍ର କିନ୍ତୁ ପୁଣି ଥରେ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିବେ ବୋଲି ଲିଙ୍ଗରାଜ କହିଛନ୍ତି।

ନକୁଳ ବଡ଼ନାୟକ
୧୫ ବର୍ଷୀୟ ନକୁଳ ବଡ଼ନାୟକ ହେଉଛନ୍ତି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ର ଅନ୍ୟତମ ଉଦୀୟମାନ ତାରକା। ଏପର୍ଯ୍ୟନ୍ତ ସେ ତିନିଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ପ୍ରଥମ ବଲ୍‌ରେ ପ୍ରଥମ ୱିକେଟ୍ ନେବାର ଗୌରବ ଅର୍ଜନ କରିଥିବା ନକୁଳ ହେଉଛନ୍ତି ଜଣେ ଅଲରାଉଣ୍ଡର। ସେ ବି-ଟୁ ବର୍ଗରେ ଖେଳନ୍ତି। ୨୦୧୩ରୁ ଖେଳ ଆରମ୍ଭ କରିଥିବା ନକୁଳ କୋରାପୁଟ ଜିଲ୍ଲାରୁ କ୍ରିକେଟ୍ ଆରମ୍ଭ କରିଥିଲେ। ଓଡ଼ିଶା ଦଳ ବାଟ ଦେଇ ଜାତୀୟ ଦଳକୁ ଯାଇଥିଲେ। କୋରାପୁଟର ଲମତାପୁଟ ନିକଟସ୍ଥ ପିପଲପୁଟ ଗାଁର ବାସିନ୍ଦା ନକୁଳ ଚାରି ଭାଇ ଭଉଣୀଙ୍କ ମଧ୍ୟରୁ ତୃତୀୟ। ସଂପ୍ରତି ସେ ମ୍ୟାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ତାଲାବନ୍ଦ ପାଇଁ ଗାଁକୁ ଚାଲି ଯାଇଥିବାରୁ ନକୁଳ ଅଭ୍ୟାସ କରିହେଉନି। ତେବେ କିଛି ଦିନ ଭିତରେ ସ୍ଥିତି ସୁଧୁରି ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଦୃଷ୍ଟିହୀନ କ୍ରିକେଟ୍‌ରେ ସେମିତି କିଛି ପଇସା ନାହିଁ। ସଂଘ କିଛି ସହଯୋଗ କଲେ ମଧ୍ୟ ଆମେ ନିଜ ହାତରୁ ସାଜ ସରଞ୍ଜାମ କିଣୁ। ଏଣୁ ଆମ ପାଇଁ ମଧ୍ୟ ସାଧାରଣ କ୍ରିକେଟରଙ୍କ ଭଳି ବ୍ୟବସ୍ଥା କରାଯାଉ ବୋଲି ନକୁଳ ଦାବି କରିଛନ୍ତି। ତେବେ ଯାହା କରିବି ନିଜ ପରିଶ୍ରମରେ କରିବି ବୋଲି ସେ ଦୃଢ଼ତାର ସହ କହିଛନ୍ତି।

 

କାଳିଆ ପ୍ରଧାନ

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ର ଷଷ୍ଠ ତଥା ସଦ୍ୟତମ ଓଡ଼ିଆ ଖେଳାଳି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଆମ୍ବଗାଁ ବାସିନ୍ଦା କାଳିଆ ପ୍ରଧାନ। ବି-ୱାନ୍ ବର୍ଗରେ ଖେଳୁଥିବା ୨୫ ବର୍ଷୀୟ କାଳିଆ ଗତବର୍ଷ ନେପାଳ ବିପକ୍ଷ ମ୍ୟାଚ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ୫ ବର୍ଷ ତଳେ ସେ ପିତାଙ୍କୁ ହରାଇଥିଲା ବେଳେ ମା’ ଖଲି ପ୍ରଧାନ ହେଉଛନ୍ତି ଦିନ ମଜୁରିଆ। ସିଟି ପାସ୍ କରି ଶିକ୍ଷକତା କରିବାକୁ ଆଶା ରଖିଛନ୍ତି କାଳିଆ । ୨୦୦୯ରୁ ଦୃଷ୍ଟିହୀନ କ୍ରିକେଟ୍ ଖେଳି ଆସୁଥିବା କାଳିଆ ଦୀର୍ଘ ଏକ ଦଶନ୍ଧିର ସଂଘର୍ଷ ପରେ ନିଜ ପରିଶ୍ରମର ଫଳ ପାଇଥିଲେ। ଯାହାକୁ ନେଇ ସେ ବହୁ ଖୁସି ଓ ଆଶାବାଦୀ। କରୋନା ପାଇଁ କାଳିଆଙ୍କ ଅଭ୍ୟାସ ବନ୍ଦ ଥିଲା। ତେବେ ତାଲାବନ୍ଦ ନିୟମ କୋହଳ ହୋଇଛି ଏବଂ କାଳିଆ ମଧ୍ୟ ଖୁବଶୀଘ୍ର ନିୟମିତ ଅଭ୍ୟାସ କରି ନିଜ ଲୟ ଫେରିପାଇବେ ବୋଲି କାଳିଆ ଦୃଢ଼ତାର ସହ ‘ସମ୍ବାଦ’କୁ କହିଛନ୍ତି। ସେ ମଧ୍ୟ ଦୃଷ୍ଟିହୀନ କ୍ରିକେଟରଙ୍କ ପାଇଁ ଉତ୍ସଗୀକୃତ ପଡ଼ିଆ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.

thirteen − 12 =