ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କୁ ଗିରଫ କରି ପ୍ରଶଂସିତ ହୋଇଥିଲେ ଶରତ

0

ଭୁବନେଶ୍ୱର: ରାଜ୍ୟରେ ନକ୍ସଲ ଦମନ, ଅପରାଧ ନିୟନ୍ତ୍ରଣ ଓ ବିଶେଷ କରି ଜଣେ କ୍ଷତାକ୍ତ ନାବାଳକଙ୍କୁ ଉଦ୍ଧାର କରି ନିଜ ଖର୍ଚ୍ଚରେ ଚିକିତ୍ସା କରି ଇନ୍ସପେକ୍ଟର ଶରତ ସାହୁ ଚର୍ଚ୍ଚାକୁ ଆସିଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ବିଜେଡିର ତୁଙ୍ଗନେତା ତଥା ପୂର୍ବତନମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ ତାଙ୍କ ଫାର୍ମହାଉସରୁ ଦବଙ୍ଗ ଷ୍ଟାଇଲରେ ଗିରଫ କରି ରାତାରାତି ସାରାଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଫଳସ୍ୱରୂପ ଏବେ ତାଙ୍କୁ କମିଶନରେଟକୁ ବଦଳି କରାଯାଇ ପୁରସ୍କୃତ କରାଯାଇଥିବା ପୁଲିସ ମହଲରେ ଚର୍ଚ୍ଚା ହେଉଛି ।

୨୦୧୯ ଏପ୍ରିଲ ୨୧ ତାରିଖ ରାତିରେ ପ୍ରଦୀପ ମହାରଥିଙ୍କ ହୁଙ୍କେଇପୁରସ୍ଥିତ ଫାର୍ମହାଉସରେ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଟଙ୍କା ବଂଟା ହେଉଥିବା ଖବରପାଇ ଫ୍ଲାଇଂ ସ୍କ୍ୱାର୍ଡ ଚଢଉ କରିଥିଲା । ମାଜିଷ୍ଟ୍ରେଟ ବିଜୟ କର, ରବିନାରାୟଣ ପାତ୍ର, ପିପିଲି ଥାନା ଏଏସଆଇ ବିନୟ ଦାଶଙ୍କ ସହ ଏକ ୧୫ଜଣିଆ ସ୍ୱତନ୍ତ୍ର ଟିମ ଚଢଉରେ ସାମିଲ ଥିଲେ । ଚଢଉ ବେଳେ ମହାରଥୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର, ପିପିଲି ଥାନା ଏଏସଆଇ ବିନୟ ଦାଶ ଗୁରୁତର ଆହତ ହୋଇଥିଲେ । ଏଥିସହିତ ମହାରଥି ଓ ତାଙ୍କ ସମର୍ଥକମାନେ ଟିମର କ୍ୟାମେରା ଭାଙ୍ଗି ଦେଇଥିଲେ ।
ଏନେଇ ଥାନାରେ ଅଭିଯୋଗ ହେବାପରେ ତତକାଳିନ ପିପିଲି ଥାନା ଅଧିକାରୀ ଥିବା ଶରତ ସାହୁ କାଳବିଳମ୍ବ ନକରି ଆଇନର ରକ୍ଷକ ସାଜି ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ମହାରଥିଙ୍କୁ ହେପାଜତକୁ ନେବା ସହ ତାଙ୍କ ବିରୋଧରେ ଦଫା ୩୦୭, ୩୫୨, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ଖ), ୧୮୬ ଓ ଲୋକପ୍ରତିନିଧି ଆଇନ୧୨୩ ବଳରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଏହି ଘଟଣା ସେତେବେଳେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ମହାରଥିଙ୍କ ଗିରଫରେ ବିରୋଧି ସେତିକି ଖୁସି ପ୍ରକଟ କରିଥିଲେ, ତାହା ଠାରୁ ଅଧିକ ଗିରଫ କରିଥିବା ଇନସ୍ପେକ୍ଟର ଶରତଙ୍କୁ ପ୍ରସଂଶା ମିଳିଥିଲା । ରାତାରାତି ଶରତ ପୁଲିସ ବିଭାଗରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।
ସେହିପରି ପିପିଲି ଅଂଚଳର ଜଣେ ନାବାଳକ ଅପ୍ରାକୃତି ଯୌନ ନିର୍ଯାତନାର ଶିକାର ହୋଇ ଏକ ପରିତ୍ୟକ୍ତ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲା । ଖବର ପାଇ ଇନ୍ସପେକ୍ଟର ଶ୍ରୀ ସାହୁ ନିଜେ ଘଟଣାସ୍ଥଳରେ ପହଁଚି ନାବାଳକଙ୍କୁ କୋଳରେ ଧରି ଭୁବନେଶ୍ୱର ସମ ହସ୍ପିଟାଲ ଆଣିଥିଲେ । ମାସାଧିକ କାଳ ଏଠାରେ ସେ ନାବାଳକର ମାଗଣା ଚିକିତ୍ସା ବ୍ୟବସ୍ଥା କରାଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ଖାଲି ଏତିକି ନୁହେଁ, ଶ୍ରୀ ସାହୁ ରାଉରକେଲା, କେରାପୁଟ, ନବରଙ୍ଗପୁର, ଜଟଣୀ, କମିଶନରେଟ୍ ପୁଲିସର ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଟ୍ରାଫିକ୍‌, କଟକ, ପିପିଲି ଥାନା ଏବଂ ପୁରୀ ସମୁଦ୍ରକୁଳ ଥାନାରେ କାର୍ଯ୍ୟ କରି ବେଶ୍ ପ୍ରଶଂସା ପାଇଛନ୍ତି । ସେ ଫୋନି ବାତ୍ୟା ହେଉ କି ଅମ୍ପନ । ବିପତି ସମୟରେ ଦେବଦୂତ ସାଜି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ଏଥିସହିତ ଚଳିତ ବର୍ଷ ସେ ୫ରୁ ଅଧିକ ଏନକାଉଂଟର କରି ପୁରୀ ପୁଲିସ ଜିଲ୍ଲାରେ ହିରୋ ପାଲଟି ଯାଇଥିଲେ । ମୋ ସରକାର ଦ୍ୱାରା ରାଜ୍ୟର ପ୍ରଥମ ଇନ୍ସପେକ୍ଟର ଭାବେ ଦୁଇ ଦୁଇ ଥର ଶରତ ସାହୁ ସମ୍ମାନିତ ହୋଇଛନ୍ତି ।
ରାଜଧାନୀ ଭଳି ସ୍ମାଟସିଟି ପାଇଁ ଶରତ ସାହୁଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କ ଆବଶ୍ୟକତା ପଡୁଥିଲା । କାରଣ ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିବା ସହ ବଡ ବଡ ଭିଭିଆଇପି, ରାଜନେତାଙ୍କଠାରୁ ଆରମ୍ଭ କରି ବହୁ ପ୍ରଭାବଶାଳୀ ବ୍ୟକ୍ତି ରହୁଛନ୍ତି । ଏହାକୁ ଦୃଷ୍ଟିରେ ତାଙ୍କୁ ପୁରସ୍କାର ସ୍ୱରୂପ କମିଶନରେଟକୁ ବଦଳି କରାଯାଇଛି ।

Leave A Reply

Your email address will not be published.