ଦୀର୍ଘ ୧୧୦ ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ ମାନ୍ୟତା’ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟର ସରକାରୀ ସଙ୍ଗୀତ ଭାବେ କାର୍ଯ୍ୟ କରିବ।
ତେବେ ଠିକ୍ ଦୁଇବର୍ଷ ତଳେ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁଥିବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ମନାଇ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୧୯୧୦ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ପ୍ରଥମଥର ପାଇଁ ୧୯୧୨ ମସିହାରେ ବାଲେଶ୍ୱରରେ ଉତ୍କଳ ସମ୍ମିଳନୀରେ ବୋଲାଯାଇଥିଲା। ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ମିଳିବା ସମୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା। ତା’ପରେ ୧୯୯୪ ନଭେମ୍ବର ମାସରେ ଏହି ଗୀତକୁ ସରକାରୀ ଭାବେ ଉପଯୋଗ ନିମନ୍ତେ ତତକାଳୀନ ବିଧାନସଭା ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବଦଳୀୟ କମିଟି ଗଠନ କରିଥିଲେ। ୧୯୯୪ ଡିସେମ୍ବର ୨୨ରୁ ଏହି ଗୀତକୁ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭ ଓ ଶେଷରେ ଗାନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୦ ମସିହାରେ ବାଚସ୍ପତି ଶରତ କର ଓ ୨୦୦୬ ମସିହାରେ ମହେଶ୍ୱର ମହାନ୍ତିଙ୍କ ସମୟରେ ମଧ୍ୟ ଏହି ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ବିଧାନସଭାରେ ଦାବି ଜୋରଦାର ହୋଇଥିଲା।