ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପରେ କମ୍ପନ ଜାରି ରହିଛି। ରବିବାର ଦିନ ଦେଶରେ ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍)। ଗୋଟେ ଭୂକମ୍ପ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ହୋଇଥିବା ବେଳେ ଅନ୍ୟଟି ମଣିପୁରର ଉକ୍ରୁଲ ନିକଟରେ ଅନୁଭୂତ ହୋଇଛି | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ସକାଳ ୮ଟା ୫୬ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା | ସେହିଭଳି ଭାବରେ ମଣିପୁରର ଉକ୍ରୁଲ ନିକଟରେ ସକାଳ ୧୧ଟା ୨୪ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ରହିଥିଲା |
କରୋନା ସଙ୍କଟ ମଧ୍ୟରେ ଦେଶର ସମସ୍ତ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି। ଶୁକ୍ରବାର ଅପରାହ୍ନରେ ରୋହତକ ଏବଂ ହରିୟାଣାର ସଂଲଗ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ବିଳମ୍ବିତ ରାତିରେ ଲଦାଖରେ ୪.୫ ତୀବ୍ରତାର କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। ଶୁକ୍ରବାର ରାତି ୮ଟା ୧୫ମିନିଟିରେ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖ ହୋଇଥିବା ବେଳେ ୨୫କିଲୋମିଟର ଗଭୀରରୁ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଲଦାଖରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୫ ରହିଥିଲା।